27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଅଷ୍ଟ୍ରେଲିଆରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ କାଠ ଅଟ୍ଟାଳିକା

ଅଷ୍ଟ୍ରେଲିଆରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ କାଠ ଅଟ୍ଟାଳିକା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବ ବିଶ୍ୱର  ସର୍ବୋଚ୍ଚ କାଠ ଅଟ୍ଟାଳିକା, ଯାହାର ଉଚ୍ଚତା ହେବ ୧୯୧.୨  ମିଟର (୬୨୭ ଫୁଟ) । ପଶ୍ଚିମ  ଅଷ୍ଟ୍ରେଲିଆରେ ଶୋଭା ପାଇବ ଏହି ହାଇବ୍ରିଡ୍ ଟାୱାର । ପର୍ଥର ମେଟ୍ରୋ ଇନର୍‌-ସାଉଥ୍ ଜଏଣ୍ଟ୍ ଡେଭଲପ୍‌ମେଣ୍ଟ ଆସେସ୍‌ମେଣ୍ଟ ପ୍ୟାନେଲ୍ (ଜେଡିଏପି) ଏହି ସର୍ବୋଚ୍ଚ ସ୍କାଏସ୍କ୍ରାପର୍ ନିମନ୍ତେ ଗ୍ରେଞ୍ଜ୍  ଡେଭ୍‌ଲପ୍‌ମେଣ୍ଟ୍ କମ୍ପାନିର ପ୍ରସ୍ତାବକୁ ଅନୁମତି ଦେଇଛି । ବର୍ତ୍ତମାନ ସ୍କାଏସ୍କ୍ରାପର୍‌ର ନାଁ ଦିଆଯାଇଛି ‘ସି୬ ବିଲ୍ଡିଂ’ । ରେକର୍ଡରେ ଥିବା ସର୍ବୋଚ୍ଚ ଅଟ୍ଟାଳିକାଠୁ ଏହା ଦୁଇଗୁଣ ଅଧିକ ଉଚ୍ଚ ହେବ । ପ୍ରସ୍ତାବିତ ଏହି ଟାୱାର୍ ୪୨ ପ୍ରତିଶତ କାଠରେ ନିର୍ମିତ ହେବ । ଏହାର  ସ୍ତମ୍ଭ ଓ ମୂଳ ଢାଞ୍ଚା କଂକ୍ରିଟରେ ନିର୍ମିତ ହେବ । ଦ କାଉନ୍‌ସିଲ ଅନ୍  ଟଲ୍ ବିଲ୍ଡିଂସ ଆଣ୍ଡ ଅର୍ବାନ୍ ହାବିଟାଟ୍ ଅନୁସାରେ, ନିର୍ମାଣ କାର‌୍ୟ୍ୟ  ଶେଷ ହେବା ପରେ ୱିସ୍‌କନ୍‌ସିନ୍‌ର ମିଲ୍‌ୱାଉକିରେ ଅବସ୍ଥିତ  ବିଶ୍ୱର ସର୍ବୋଚ୍ଚ କାଠ-କଂକ୍ରିଟ ହାଇବ୍ରିଡ୍ ଅଟ୍ଟାଳିକା ‘ଦ ଆସେଣ୍ଟ୍  ଟାୱାର’କୁ ଏହା ପଛରେ ପକାଇବ । ୨୫ ମହଲାବିଶିଷ୍ଟ ‘ଦ ଆସେଣ୍ଟ୍  ଟାୱାର୍‌’ର ଉଚ୍ଚତା ୮୬ ମିଟର (୨୮୪ ଫୁଟ) । ପ୍ରସ୍ତାବିତ ଟାୱାର୍  ଦକ୍ଷିଣ ପର୍ଥ ସ୍ଥିତ ଚାର୍ଲସ ଷ୍ଟ୍ରିଟ୍‌ରେ ନିର୍ମିତ ହେବ ।
ଅନ୍ୟପକ୍ଷେ,  ସିଡ୍‌ନୀରେ ନିର୍ମାଣାଧୀନ ହାଇବ୍ରିଡ୍  କାଠ ଆଟ୍‌ଲାସିୟାନ୍ ହେଡ୍‌କ୍ୱାର୍ଟର୍ସ  ଦ ଆସେଣ୍ଟ୍ ଟାୱାର୍‌ର ରେକର୍ଡ  ଭାଙ୍ଗିବ ବୋଲି ଦାବି କରୁଥିଲେ  ମଧ୍ୟ ସି୬ ଟାୱାର୍‌ର ଉଚ୍ଚତା ତା’ଠୁ  ଅଧିକ ହେବ । ଆଟ୍‌ଲାସିୟାନ୍  ଭଳି ସି୬ ଟାୱାର୍‌ର ଢାଞ୍ଚାକୁ  ସମ୍ଭାଳିବା ପାଇଁ କାଠ ବିମ୍ ସହିତ ବାହ୍ୟ ପରସ୍ତରେ ଷ୍ଟିଲ୍ ଲାଗିବ । ଗ୍ରେଞ୍ଜ୍ ଡେଭ୍‌ଲପ୍‌ମେଣ୍ଟ୍  କମ୍ପାନିର ନିର୍ଦ୍ଦେଶକ ଜେମ୍ସ ଡିବଲ୍ କହିଛନ୍ତି, ସି୬ ଟାୱାର୍ ୫୦ ମହଲାଯୁକ୍ତ ହେବ ।
ଏଥିରେ ୨୦୦ରୁ ଅଧିକ ଆପାର୍ଟମେଣ୍ଟ୍  ରହିବ । ଏହା ପଶ୍ଚିମ ଅଷ୍ଟ୍ରେଲିଆର ପ୍ରଥମ ଅଙ୍ଗାରକାମ୍ଳ  ପ୍ରତିରୋଧୀ ଆବାସିକ ଅଟ୍ଟାଳିକା ହେବ । ଏହାର ନିର୍ମାଣରେ  ଜଳବାୟୁ ପ୍ରତି ଅଧିକ ସଚେତନତା ଅବଲମ୍ବନ କରାଯାଇଛି ।  ଟାୱାର୍ ନିର୍ମାଣରେ ୬୦୦ ବୃକ୍ଷରୁ ୭,୪୦୦ କ୍ୟୁବିକ୍ ମିଟର  (୨୬୦,୦୦୦ କ୍ୟୁବିକ୍ ଫୁଟ) କାଠ ବ୍ୟବହୃତ ହେବ । କାଠ ବ୍ୟବହାର ସମେତ ଛାତ ଉପରେ ବଗିଚା, ସହରୀ  ଚାଷ ଏବଂ ସମ୍ପୂର୍ଣ୍ଣ ରୂପେ ବୈଦ୍ୟୁତିକ ନୂଆ ଟେସ୍‌ଲା  ମଡେଲ ପ୍ରୟୋଗ ଲାଗି କମ୍ପାନି ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking