ତାଶକେଣ୍ଟ୍ : ଏଠାରେ ଚାଲିଥିବା ପୁରୁଷ ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍ଶିପ୍ରେ ଭାରତର ଉଦୀୟମାନ ବକ୍ସର୍ ନିଶାନ୍ତ ଦେବ ପ୍ରିକ୍ୱାର୍ଟର୍କୁ ଉନ୍ନୀତ ହୋଇଛନ୍ତି । ସେ ବୁଧବାର ୭୧ କିଗ୍ରା ଓଜନ ବର୍ଗରେ ୨୦୨୧ ୱାର୍ଲ୍ଡ ଚାମ୍ପିଅନଶିପ୍ର ବ୍ରୋଞ୍ଜ୍ ପଦକ ବିଜେତା ଆଜରବାଇଜାନ୍ର ସର୍ଖାନ୍ ଆଲିୟେଭ୍ଙ୍କ ବିପକ୍ଷରେ ୫-୦ରେ ବିଜୟୀ ହୋଇ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି । ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ୨୨ ବର୍ଷୀୟ ନିଶାନ୍ତଙ୍କର ସାଉଥ୍ କୋରିଆ ପ୍ରତିଯୋଗୀ ଲି ସାଙ୍ଗମିନ୍ଙ୍କ ସହ ମୁକାବିଲା ହେବ ।
ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ନିଶାନ୍ତ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିଲେ । ଗୁରୁବାର ୪୮ କିଗ୍ରାରେ ଗୋବିନ୍ଦ ସାହାଣୀ ତାଜିକିସ୍ତାନର ମେହରୋନ୍ ଶାଫିଏଭ୍ଙ୍କୁ ଓ ୫୧ କିଗ୍ରାରେ ଦୀପକ କୁମାର ଇକ୍ୱେଡର୍ର ଲୁଇସ୍ ଡେଲ୍ଗାଡୋଙ୍କୁ ଭେଟିବେ । ପ୍ରତିଯୋଗିତାରେ ୧୦୭ଟି ଦେଶରୁ ୫୩୮ ଜଣ ବକ୍ସର୍ ଅଂଶଗ୍ରହଣ କରିଛନ୍ତି ।