22.1 C
Bhubaneswar
Friday, February 13, 2026
Homeଓଡିଶାଶାନ୍ତି,ସୁରକ୍ଷା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ କାଳିଆପାଣି ଥାନା ଘେରିଲା ଶ୍ରମିକ ସଂଘ

ଶାନ୍ତି,ସୁରକ୍ଷା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ କାଳିଆପାଣି ଥାନା ଘେରିଲା ଶ୍ରମିକ ସଂଘ

ଯାଜପୁର : ସାଧାରଣ ନିର୍ବାଚନରେ ଭୋଟ୍‌ ଗଣତି ପର ଠାରୁ କାଳିଆପାଣି ଖଣି ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଗତ ଜୁନ ୬ ତାରିଖରେ ଓଏମ୍‌ସି କାଳିଆପାଣି ଟାଉନସିପ କ‌ଲୋନିସ୍ଥିତ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ଶାଖା କାର୍ଯ୍ୟାଳୟ‌ରେ ତତ୍କାଳୀନ ଯୁଗ୍ମ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଓ ତାଙ୍କ ସହଯୋଗୀ ଅଜିତ କୁମାର ମହାନ୍ତିଙ୍କୁ ଅଯଥା‌ ମାଡ଼ ଓ ଆକ୍ରମଣ କରି ଲହୁଲୁହାଣ, ଗତ ୨ ତାରିଖରେ ପୁରୁଣା ଅଟୱାଲ କ‌ଲୋନିରେ ଗଣ୍ଡଗୋଳ ଓ ଶ୍ରମିକସଂଘର ଯୁଗ୍ମ ସାଧାରଣ ସମ୍ପାଦକ ଅଜୟ କୁମାର ନାୟକଙ୍କ ପତ୍ନୀଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଗତ ୪ ତାରିଖ ରବିବାର ରାତି ସାରୁଆବିଲ ନୂଆସାହିରେ କଅଁସ ପଞ୍ଚାୟତ ଯୁବ ବିଜେଡି ସଭାପତି ସୁଶାନ୍ତ ପ୍ରଧାନଙ୍କ ଅନୁପସ୍ଥିତିରେ ତାଙ୍କ ଘରକୁ ଆସି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପ୍ରତି ହତ୍ୟା ଧମକ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଘଟଣାକୁ ନେଇ ଖଣିଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଆସିଛି। ତେବେ ଏସବୁ ଘଟଣାରେ ପୁଲିସ ଦୁର୍ବଳ ପଦକ୍ଷେପ ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୋହଳ ଆଭିମୁଖ୍ୟ ଗ୍ରହଣ କରୁଥିବା ନେଇ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ କଡ଼ା ଆପତ୍ତି ଉଠାଇଛି। ଶ୍ରମିକସଂଘର ସଭାପତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଥାନାକୁ ଆସି ସାମାଜିକ ନ୍ୟାୟ ବଳବତ୍ତର ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ହେଁ ପୁଲିସ ନିରବଦ୍ରଷ୍ଟା ସାଜିଥିବା କୁହାଯାଇଛି। ପ୍ରତିବାଦ ସ୍ବରୂପ ଶ୍ରମିକସଂଘ ପକ୍ଷରୁ ଆଜି ସକାଳ କେଟିଏଲ୍ କ‌ଲୋନି ଫାଟକରେ ସାଧାରଣ ପଥପ୍ରାନ୍ତ ସଭା ପରେ ଶ୍ରମିକସଂଘ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତଙ୍କ ନେତୃତ୍ବରେ ଶତାଧିକ ପ୍ରତିନିଧି ଏକ ଶୋଭାଯାତ୍ରାରେ ଥାନାକୁ ଆସି ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ଅପରାଧିକ କାର୍ଯ୍ୟକଳାପ ବନ୍ଦ୍ ଦାବି ଦୋହରାଇଥିଲେ। ଏ ସଂକ୍ରାନ୍ତରେ ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖିଙ୍କ ପକ୍ଷରୁ ଏସ୍‌ପି ବୀନିତ ଅଗ୍ରୱାଲ୍‌ଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସର ନରମ ଆଭିମୁଖ୍ୟକୁ ନେଇ ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ପୂର୍ବତନ ଅଧ୍ୟକ୍ଷା ଭଗବତୀ ମହାନ୍ତ, ବ୍ଲକ ବିଜେଡି ସଭାପତି ଆଇନଜୀବୀ ବିବେକାନନ୍ଦ ବୋଷ, ଶ୍ରମିକସଂଘ ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ସମିତିସଭ୍ୟ ସାଲୁକା ହନହାଗା, କଅଁସ ସମିତିସଭ୍ୟା ନିତିମା ମୁଣ୍ଡା, ରାଁସୋଳ ସରପଞ୍ଚ କନକଲତା ସର୍ଦ୍ଦାର, ୪ ପୂର୍ବତନ ସରପଞ୍ଚ ବିଶ୍ବଜିତ ମହାନ୍ତି, ଜିନିତା ମୁଣ୍ଡା, ରେଣୁକା ଦେହୁରୀ ଓ ସୁଷମା ନାୟକ, ଅଜୟ କୁମାର ନାୟକ, ପବିତ୍ର କୁମାର ମହାନ୍ତ, ନିମଳେନ୍ଦୁ ବେହୁରା, ଆଶିଷ କୁମାର ଜେନା, ସୁଶାନ୍ତ ପ୍ରଧାନ ପ୍ରମୁଖ ଥାନାରେ ପୁଲିସ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏ ସଂପର୍କରେ ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ପଚାରିବାରେ ଶ୍ରମିକସଂଘ ପକ୍ଷରୁ ସ୍ମାରକପତ୍ର ଦିଆଯାଇଥିବା କହିଥିଲେ। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନିଆଯାଉଥିବା ନେଇ ସେ ଦୃଢ଼ୋକ୍ତି କରିଥିଲେ। ତେବେ ଅଟୱାଲ କଲୋନି ଗଣ୍ଡଗୋଳ ଓ ସାରୁଆବିଲରେ ସୁଶାନ୍ତ ପ୍ରଧାନଙ୍କ ପତ୍ନୀଙ୍କୁ ଗାଳି ଓ ଆଶାଳୀନ ବ୍ୟବହାର ଘଟଣାରେ ପ୍ରତିପକ୍ଷ ପକ୍ଷରୁ ୨ଟି ଅଭିଯୋଗ ପତ୍ର ମିଳିଥିବା ସହ ସ୍ଥାନୀୟ ରାଜନୈତିକ କାର୍ଯ୍ୟକଳାପକୁ ନେଇ ଉଭୟପକ୍ଷ ଛକାପଞ୍ଝାରେ ଦର୍ଶାଇ ଖଣିଅଞ୍ଚଳର ଉତ୍ତେଜନା ପ୍ରବଣ ପରିସ୍ଥିତିକୁ ନେଇ ପୁଲିସ ସଜାଗ ଥିବା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking