ନୂଆଦିଲ୍ଲୀ: ଆସନ୍ତା ବୁଧବାରଠାରୁ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଚଳିତ ସଂସ୍କରଣରେ ୬ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନିଥର ମୁକାବିଲା ହେବାର ସମ୍ଭାବନା ରହିଛି । ଅନ୍ୟଦଳଗୁଡିକ ବାଂଲାଦେଶ, ଆଫଗାମନିସ୍ତାନ, ଶ୍ରୀଲଙ୍କା ଓ ନେପାଳ ରହିଥିଲେ ମଧ୍ୟ ଏହି ଦୁଇଦଳ ମଧ୍ୟରେ ଫାଇନାଲ ଖେଳାଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେବେ କେଉଁ ଦଳ ଏସିଆ କପ୍ ଜିତିବ ସେ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ପରୋକ୍ଷରେ ଟିମ୍ଇଣ୍ଡିଆକୁ ଚେତେଇ ଦେଇଛନ୍ତି । ଆକ୍ରମ କହିଛନ୍ତି କି, ଭାରତ ଏକ ଶୃଙ୍ଖଳିତ ଦଳ ।
ନୂଆ ଅଧିନାୟକଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଗତ ମ୍ୟାଚଗୁଡିକରେ ଶ୍ରେଷ୍ଠ ରହିଛି । ପ୍ରାୟ ସମସ୍ତ ଖେଳାଳି ଟି-୨୦ ଫର୍ମାଟରେ ଅଧିକାଂଶ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଦିନିକିଆ ମ୍ୟାଚଗୁଡିକୁ ଲକ୍ଷ୍ୟ କଲେ ଭାରତୀୟ ଖେଳାଳିଙ୍କ ପାଖରେ ଅଭିଜ୍ଞତା କମ୍ ରହିଛି । ଯାହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଅନ୍ୟପକ୍ଷରେ କ୍ରିକେଟ୍ ଏକ ଅନିଶ୍ଚିତ ଖେଳ । ଗତ ସଂସ୍କରଣରେ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଖେଳାଯିବ ବୋଲି କୁହାଯାଉଥିଲା । କିନ୍ତୁ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଚାମ୍ପିଅନ୍ ହୋଇଥିଲା । ସେଥିପାଇଁ କେଉଁ ଦଳ ଏସିଆ କପ୍ର ଅଧିକାରୀ ହେବ ତାହା ଏବେଠାରୁ କଳନା କରିବା କଷ୍ଟକର ବୋଲି ଆକ୍ରମ କହିଛନ୍ତି ।