ନୂଆଦିଲ୍ଲୀ : ଏଠାରେ ଚାଲିଥିବା ମହିଳା ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ଭାରତର ୩ ତାରକା ବକ୍ସର୍ ନୀତୁ ଗାଙ୍ଘାସ୍, ପ୍ରୀତି ଓ ମଞ୍ଜୁ ବାମ୍ବୋରିୟା ପ୍ରିକ୍ୱାର୍ଟର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ନୀତୁ ୪୮ କିଗ୍ରା ଓଜନ ବର୍ଗରେ ଆର୍ଏସ୍ସି ଆଧାରରେ କୋରିଆର ଡୋୟିନ୍ କାଙ୍ଗ୍ଙ୍କୁ ପରାସ୍ତ କରିଥିବା ବେଳେ ୫୪ କିଗ୍ରା ଓଜନ ବର୍ଗରେ ପ୍ରୀତି ୪-୩ ଖଣ୍ଡିତ ନିଷ୍ପତ୍ତିରେ ରୋମାନିଆର ଲାକ୍ରାମିଓରା ପେରିଜୋକ୍ଙ୍କୁ ହରାଇଛନ୍ତି ।
ପ୍ରୀତି ପ୍ରଥମ ରାଉଣ୍ଡ୍ରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ପେରିଜୋକ୍ଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ପରେ ସେ ୪-୩ରେ ବିଜୟୀ ଘୋଷିତ ହେବା ପରେ ପ୍ରତିଦ୍ୱନ୍ଦ୍ୱୀ ଏହାକୁ ଚାଲେଞ୍ଜ୍ କରିଥିଲେ । କିନ୍ତୁ ରିଭ୍ୟୁ ପ୍ରୀତିଙ୍କ ସପକ୍ଷରେ ଯାଇଥିଲା ଓ ସେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିଲେ । ଏହାଛଡ଼ା ୬୬ କିଗ୍ରା ବର୍ଗରେ ମଞ୍ଜୁ ନ୍ୟୁଜିଲାଣ୍ଡ୍ର କାରା ୱାରେରୋଙ୍କୁ ୫-୦ ସର୍ବସମ୍ମତି ନିଷ୍ପତ୍ତିରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି ।
ପ୍ରିକ୍ୱାର୍ଟର୍ରେ ପ୍ରୀତିଙ୍କ ମୁକାବିଲା ଗତ ବର୍ଷର ୱାର୍ଲ୍ଡ ଚାମ୍ପିଅନ୍ଶିପ୍ର ରୌପ୍ୟ ପଦକ ବିଜେତା ଥାଇଲାଣ୍ଡ୍ର ଜୁଟାମାସ୍ ଜିଟ୍ପୋଙ୍ଗ୍ଙ୍କ ସହ ହେବ । ଅନ୍ୟପକ୍ଷରେ ୨୨ ବର୍ଷୀୟା ନୀତୁ ପ୍ରିକ୍ୱାର୍ଟର୍ରେ ତାଜିକିସ୍ତାନର ସୁମୈୟା କୋସିମୋଭାଙ୍କୁ ଭେଟିବେ । ଆହୁରି ରାଉଣ୍ଡ୍-୧୬ରେ ମଞ୍ଜୁଙ୍କର ମୁକାବିଲା ଟପ୍ ସିଡେଡ୍ ଉଜ୍ବେକିସ୍ତାନ ବକ୍ସର୍ ନାଭବାଖୋର୍ ଖାମିଡୋଭାଙ୍କ ସହ ହେବ ।