ନୂଆଦିଲ୍ଲୀ : ଫ୍ୟାଶନ୍ ଟ୍ରେଣ୍ଡରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ସୋସିଆଲ ମିଡିଆରେ ଅନେକ ଅଜବ ଫ୍ୟାଶନ୍ ଚର୍ଚ୍ଚାର ବିଷୟ ହେଉଛି । ଏବେ ଏଭଳି ଏକ ଅଜବ ଫ୍ୟାଶନ୍ ଟ୍ରେଣ୍ଡର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ଏକ ପୋଷାକ ଆପଣାଛାଏଁ ରଙ୍ଗ ପରିବର୍ତ୍ତନ କରୁଛି । ଭିଡିଓ ଦେଖିବା ପରେ ଏହି ଫ୍ୟାଶନକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଇଣ୍ଟରନେଟ୍ ୟୁଜର୍ ଇଜି ନାମ୍ନୀ ଜଣେ ମହିଳା କିଛି ଦିନ ତଳେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ ।
ଏଥିରେ ସେ ଦର୍ଶାଇଥିଲେ, ତାଙ୍କ ପୋଷାକ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲେ ତତକ୍ଷଣାତ ରଙ୍ଗ ବଦଳାଇପାରେ । ଭିଡିଓରେ ପିନ୍ଧିଥିବା ଧଳା ରଙ୍ଗର ଡ୍ରେସକୁ ଦେଖାଇ ସେ କହିଛନ୍ତି ‘ବନ୍ଧୁମାନେ, ମନେଅଛି, ମୋ ସ୍କର୍ଟ ରଙ୍ଗ ବଦଳାଏ? ଏହି ଡ୍ରେସ୍ ବି ରଙ୍ଗ ବଦଳାଉଛି । ବାହାରକୁ ଯିବା ପୂର୍ବରୁ ସେ କହିଲେ ‘ଚାଲନ୍ତୁ ସୂର୍ଯ୍ୟାଲୋକକୁ ଯିବା ।’ ଇଜି ଯେତେବେଳେ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲେ, ସେ ପିନ୍ଧିଥିବା ଧଳା ପୋଷାକ ସଙ୍ଗେ ସଙ୍ଗେ ଗୋଲାପି ରଙ୍ଗରେ ବଦଳିଗଲା । ଏହା ପରେ ସେ ଭିଡିଓରେ କହିଲେ ‘ଏବେ ଏହା ଗୋଲାପିଟ୍ଟ ବେଶି ସମୟ ପାଇଁ ନୁହେଁଟ୍ଟ ବିଜ୍ଞାନ ।’ ଶେୟାର ହେବା ପରଠୁ ଭିଡିଓଟି ଚର୍ଚ୍ଚାରେ ରହିଛି । ଲକ୍ଷାଧିକ ଲୋକ ଏହାକୁ ଦେଖିବା ସହିତ ଲାଇକ୍ କରିଛନ୍ତି । ସୂର୍ଯ୍ୟାଲୋକରେ ଧଳା ପୋଷାକ କେମିତି ଆଖି ପିଛୁଳାକେ ଗୋଲାପି ହୋଇଗଲା, ତାହା ଦେଖି ସମସ୍ତେ ଚକିତ ହେଉଛନ୍ତି । ତେବେ ଏହି ପୋଷାକ ପ୍ରସ୍ତୁତିରେ ଥର୍ମୋକ୍ରୋମିକ୍ ଇଙ୍କ୍ ବା ଡାଇ ଭଳି ତାପମାତ୍ରାସମ୍ବେଦନଶୀଳ ତତ୍ତ୍ୱ ପ୍ରୟୋଗ କରାଯାଇଛି । ଆଲୋକର ସ୍ଥିତି ଆଧାରରେ ଯଥା- ଦିନ ବା ରାତି, ସୂର୍ୟ୍ୟାଲୋକ ବା ଛାଇରେ ପୋଷାକର ରଙ୍ଗ ବଦଳିପାରେ । ଉତ୍ତାପ/ବିକିରଣ ଅପସରିଯିବା ପରେ ପୋଷାକର ରଙ୍ଗ ପୁଣି ପୁରୁଣା ସ୍ଥିତିକୁ ଫେରିଆସେ ।