ଗୁରୁଗାଓଁ : ପ୍ରେମିକ ସହ ମିଶି ସ୍ବାମୀ ମୋନୁ ଲାଲ୍ (୨୧)କୁ ହତ୍ୟା କରିଛି ସ୍ତ୍ରୀ ତନୁ। ମୋନୁଙ୍କ ସହ ବିବାହକୁ ନେଇ ତନୁ ଅସନ୍ତୁଷ୍ଟ ଥିବାବେଳେ ପୁରୁଣା ପ୍ରେମିକ ସହ ମିଶି ହତ୍ୟା ଷଡଯନ୍ତ୍ର କରିଥିଲା। ଜୁନ୍ ୮ରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୁଲିସ ଏହାକୁ ଏକ ଆକସ୍ମିକ ମୃତ୍ୟୁ ବୋଲି ବିବେଚନା କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଗୁଇନ୍ଦା ତଥ୍ୟ ଅନ୍ୟାନ୍ୟ ବୈଷୟିକ ଜ୍ଞାନକୌଶଳର ସହଯୋଗରେ ପୁଲିସ ଘଟଣାର ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି। ପୁଲିସ ଏହି ଘଟଣାରେ ତନୁଙ୍କ ସହିତ ହରିଓମ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ମାତ୍ର ତନୁଙ୍କ ପ୍ରେମିକ ସୋନୁ ଓ ତାର ସାଥୀ ଅମନ ଫେରାର ଅଛନ୍ତି। ମୋନୁଙ୍କ ପିତା ରତନ ଲାଲଙ୍କ ଅଭିଯୋଗ ଅନୁଯାୟୀ ଜୁନ୍ ୮ ତାରିଖ ରାତିରେ ପୁଅ ଔଷଧ କିଣିବାକୁ ସ୍କୁଟର ନେଇ ଯାଇଥିଲା। ମାତ୍ର ସେ ରାତିରେ ଆଉ ଘରକୁ ଫେରି ନଥିଲା। ଜୁନ୍ ୯ରେ ରତନ ଲାଲ ପୁଅ ନିଖୋଜ ନେଇ କସୋଲା ଥାନାରେ ଏତଲା ଦେଇଥିଲେ। ଜୁନ୍ ୧୦ରେ ମୋନୁଙ୍କ ମୃତଦେହ ଆସଲୱାସ କେନାଲରୁ ମିଳିଥିଲା ଓ ତାଙ୍କ ସ୍କୁଟର କେନାଲ କୂଳରୁ ମିଳିଥିଲା। ପୁଲିସ ଏହାକୁ ପାଣିରେ ବୁଡିଯିବା ଜନିତ ମୃତ୍ୟୁ ଦର୍ଶାଇଥିଲା। ମାତ୍ର ମୋନୁଙ୍କ ପରିବାର ଲୋକ ଏହାକୁ ଏକ ହତ୍ୟା ସନ୍ଦେହ କରିଥିଲେ ଓ ଏହାର ତଦନ୍ତ ଦାବି କରିଥିଲେ। ମୋନୁ ଓ ତନୁ ଅଳ୍ପ କିଛି ଦିନ ତଳେ ବିବାହ କରିଥିଲେ।










