ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟ ଜାତୀୟ ରାଜପଥରୁ ଜଣେ ମହିଳାଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ୧୩ହଜାର ଟଙ୍କା ଲୁଟି ନେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଦୁର୍ବୃତ୍ତମାନେ ସମ୍ପୃକ୍ତ ମହିଳାଙ୍କୁ ପୁରୀ ଜିଲ୍ଲା ନିମାପଡ଼ା ବସ୍ଷ୍ଟାଣ୍ଡରେ ଫିଙ୍ଗି ଦେଇ ପଳାଇଯାଇଥିବାବେଳେ ସେ ଗୁରୁତର ଅବସ୍ଥାରେ ଚିିକିତ୍ସିତ ହେଉଛନ୍ତି । ସମ୍ପୃକ୍ତ ମହିଳା ଜଣକ ହେଲେ କୋଳଥିଆ ମଙ୍ଗଳାମନ୍ଦିର ବସ୍ତିର ସଙ୍ଗୀତା ଜେନା(୨୦) । ପରିବାରଲୋକଙ୍କ ଅଭିଯୋଗକ୍ରମେ ଭରତପୁର ପୁଲିସ ସଙ୍ଗୀତାଙ୍କୁ ନିମାପଡ଼ା ବସଷ୍ଟାଣ୍ଡରୁ ଉଦ୍ଧାର କରିଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ସମ୍ପର୍କରେ ପୁଲିସ ସୁରାକ୍ ପାଉନାହିଁ । ସୂଚନା ଅନୁଯାୟୀ, କୋଳଥିଆ ମଙ୍ଗଳାମନ୍ଦିର ବସ୍ତିର ନାରାୟଣ ଜେନାଙ୍କ ସ୍ତ୍ରୀ ସଙ୍ଗୀତା ଜେନା ଜଣେ କର୍ମଜୀବୀ ମହିଳା । ଗତ ୬ତାରିଖ ଦିନ ପ୍ରାୟ ୨ଟାରେ ସେ ତାଙ୍କର ଠିକାଦାରଙ୍କ ପାଖରୁ ୧୩ହଜାର ଟଙ୍କା ପ୍ରାପ୍ୟ ଗ୍ରହଣ କରି ଜାତୀୟ ରାଜପଥ କୋଳଥିଆ ଛକରୁ ଫେରୁଥାନ୍ତି । ହଠାତ୍ ଏକ କାର ଆସି ସେଠାରୁ ତାଙ୍କୁ ଉଠେଇ ନେଇଥିଲା । ଦିନ ୩ଟା ସୁଦ୍ଧା ସଙ୍ଗୀତା ଘରକୁ ନଫେରିବାରୁ ତାଙ୍କ ସ୍ୱାମୀ ନାରାୟଣ ଓ ଶାଶୂ ସଂପୃକ୍ତ ଠିକାଦାରଙ୍କ ନିକଟକୁ ଯାଇ ପଚାରିବାରୁ ସଙ୍ଗୀତା ଟଙ୍କା ନେଇ ପଳେଇଯିବା କଥା କହିବାରୁ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଏହାପରେ ସଙ୍ଗୀତାଙ୍କ ପରିବାରଲୋକେ ପୁଲିସକୁ ଜଣାଇଥିଲେ । ପରେ ପୁଲିସ ତାଙ୍କ ମୋବାଇଲ ନମ୍ବରରେ କଲ୍ କରିବାରୁ ଜଣେ ଝିଅ ନିଜକୁ କଲେଜ ଛାତ୍ରୀ ପରିଚୟ ଦେଇ ସଙ୍ଗୀତାଙ୍କ ଦୁର୍ଘଟଣା ହୋଇଛି ଓ ସେ ନିମାପଡ଼ା ବସ୍ଷ୍ଟାଣ୍ଡରେ ପଡ଼ିଥିବା କହିଥିଲେ । ପରେ ସଙ୍ଗୀତାଙ୍କ ପରିବାର ଲୋକଙ୍କ ସମେତ ଭରତପୁର ଥାନା ଅଧିକାରୀଙ୍କ ଗାଡି ଯାଇ ନିମାପଡା ବସ୍ଷ୍ଟାଣ୍ଡରୁ ସଙ୍ଗୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଳଥିଆ ଆଣିଥିଲେ । ସଙ୍ଗୀତାଙ୍କୁ ଦୁର୍ବୃତ୍ତମାନେ ମାରପିଟ୍ କରିଥିବା ଜଣାଯାଇଛି ।