ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ସିଂହସାହିର ଝୁନି ସିଂହ (୨୭) ଗୁରୁବାର ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ଛତିଆ ଅଞ୍ଚଳର ବାପଘର ଲୋକ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଝୁନିର ସ୍ୱାମୀ ଗଣେଶ୍ୱର ସିଂହ ଓରଫ ତପନଙ୍କୁ ଗିରଫ କରିଛି । ପ୍ରକାଶ ଯେ, ଗତ ୭ ବର୍ଷ ତଳେ ପତରାଜପୁର ବିଷ୍ଣୁଚରଣ ସିଂହଙ୍କ ବଡ଼ପୁଅ ଗଣେଶ୍ୱରଙ୍କୁ ଛତିଆ ଅଞ୍ଚଳର କେଶବ ସିଂହଙ୍କ ଭଉଣୀ ଝୁନି ବିବାହ କରିଥିଲେ । ଘରୋଇ କଳିକୁ କେନ୍ଦ୍ରକରି ଝୁନି ଗୁରୁବାର ଶାଶୂ ଘରେ କେହି ନଥିବାବେଳେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତୁରନ୍ତ ନଡ଼ିଆସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଝୁନିର ଭାଇ କେଶବ ସିଂହ ବାଲିଚନ୍ଦ୍ରପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ ଯୌତୁକ ନିର୍ଯାତନା ସହ ହତ୍ୟା ଅଭିଯୋଗ ଆଣିଥିଲେ । ଝୁନିକୁ ମାଡ଼ମାରି ତଣ୍ଟିଚିପି ମାରିଦେବା ପରେ ଆତ୍ମହତ୍ୟା ରୂପ ଦେଇଥିବା ୯ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ସୂଚନା ଦେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଗଣେଶ୍ୱରଙ୍କୁ ଗିରଫ କରିଛି ।