ବ୍ରସେଲ୍ସ : ବେଲ୍ଜିୟମ୍ ଜାତୀୟ ଦଳର ମିଡ୍ଫିଲ୍ଡର୍ ଆକ୍ସେଲ୍ ୱିଟ୍ସେଲ୍ ଶନିବାର ତାଙ୍କ ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅର୍ରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ୩୪ ବର୍ଷୀୟ ୱିଟ୍ସେଲ୍ ଅଦ୍ୟାବଧି ୧୩୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି । ଗତ ୨୦୧୮ରେ ରୁଷିଆରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ରେ ସେ ବେଲ୍ଜିୟମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବେଳେ ଉକ୍ତ ସଂସ୍କରଣରେ ଦଳ ତୃତୀୟ ସ୍ଥାନରେ ରହିଥିଲା। ସେହିପରି ଗତ ବର୍ଷ କତାର ବିଶ୍ୱକପ୍ରେ ସେ ପ୍ରଥମ ତିନିଟି ମ୍ୟାଚ୍ ଖେଳିଥିଲେ । ତେବେ ବେଲଜିୟମ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ଫଳରେ ତାଙ୍କୁ ଆଉ କୌଣସି ବିଶ୍ୱକପ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନ ଥିଲା ।
ନିଜର ପରିବାରକୁ ଅଧିକ ସମୟ ଦେବା ସହ କ୍ଲବ୍ ଫୁଟବଲ୍ ଉପରେ ଅଧିକ ଫୋକସ୍ କରିବା ସକାଶେ ସେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇଥିବା ୱିଟ୍ସେଲ୍ କହିଛନ୍ତି । ୱିଟ୍ସେଲ୍ ଗତ ୨୦୦୮ରେ ମରକ୍କୋ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମାଧ୍ୟମରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିଥିଲେ । ସେହିପରି କ୍ଲବ୍ ସ୍ତରରେ ସେ ଷ୍ଟାଣ୍ଡାର୍ଡ ଲିଗ୍, ବେନ୍ଫିକା, ଜେନିଟ୍ ସେଣ୍ଟ୍ ପିଟର୍ସବର୍ଗ, ଟିଆଞ୍ଜିନ୍ କ୍ୱାଞ୍ଜିଆନ୍ ଓ ବୋରୁସିଆ ଡର୍ଟମୁଣ୍ଡ ପରି ଦଳ ସହ ଖେଳିବା ପରେ ଗତ ବର୍ଷ ଜୁଲାଇଠାରୁ ଆଟ୍ଲେଟିକୋ ସହ ଖେଳିଆସୁଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବରରେ ବେଲଜିୟମ୍ ଦଳର ପୂର୍ବତନ ଅଧିନାୟକ ଇଡେନ୍ ହାଜାର୍ଡ ଓ ଗତ ମାର୍ଚ୍ଚରେ ଡିଫେଣ୍ଡର୍ ଟୋବି ଆଲଡର୍ୱିରେଲ୍ଡ ମଧ୍ୟ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇସାରିଛନ୍ତି ।