ମୁମ୍ବାଇ: କମୁଛି କରୋନା ସଂକ୍ରମଣ । ମୁମ୍ବାଇରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କଟକଣା କୋହଳ କରିଛନ୍ତି ମହାରାଷ୍ଟ୍ର ସରକାର । ନାଇଟ୍ କର୍ଫ୍ୟୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଥିବା ସହ ୫୦ପ୍ରତିଶତ କ୍ଷମତା ସହ ରେସ୍ତୋରାଁ ଏବଂ ସିନେମା ହଲ ଚଳାଇବାକୁ ଅନୁମତି ଦିଆଯାଇଛି । ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପୂର୍ବ ଭଳି ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ । ଏହା ବ୍ୟତୀତ ମନୋରଞ୍ଜନ ପାର୍କ ଏବଂ ଥିମ୍ ପାର୍କଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲା ରହିବ । ସୁଇମିଂ ପୁଲ ଏବଂ ୱାଟର ପାର୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ । ସାଧାରଣ ଦିନ ପରି ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ମଧ୍ୟ ଖୋଲାଯାଇପାରିବ । ପୂର୍ବପରି ସାପ୍ତାହିକ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ମୁମ୍ବାଇରେ ବିବାହ ଏବଂ ଭୋଜିଭାତରେ ୨୦୦ଜଣ ଲୋକ ଉପସ୍ଥିତ ରହିପାରିବେ । ସୂଚନାଯୋଗ୍ୟ, ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୦୦ ତଳକୁ ଖସିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଏହା ସହ କରୋନା କଟକଣା ମାନିବାକୁ ଅନୁରୋଧ କରାଯାଇଛି ।