ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିସାରିଛି । ତେବେ ବ୍ରିଟେନରେ ଯେଭଳି ସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ନିତି ଆୟୋଗ ସଦସ୍ୟ ଡାଃ ଭି.କେ.ପଲ୍ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି । ବ୍ରିଟେନରେ ବିଗତ ତିନିଦିନ ମଧ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୯୦,୦୦୦ ଉପରେ ରହୁଛି । ଯଦି ଭାରତରେ ବ୍ରିଟେନ ଭଳି ସ୍ଥିତି ଉପୁଜିବ, ତାହାହେଲେ ଦେଶରେ ଦୈନିକ ସଂକ୍ରମଣ ୧୪ ଲକ୍ଷ ଛୁଇଁବ ବୋଲି ଡାଃ ପଲ୍ ଚେତାବନୀ ଦେଇଛନ୍ତି । ଭାରତର ଲୋକସଂଖ୍ୟାକୁ ଦୃଷ୍ଟିରେ ରଖିଲେ, ଦୈନିକ ୧୪ ଲକ୍ଷ ସଂକ୍ରମଣ ବିଚିତ୍ର କଥା ନୁହେଁ ବୋଲି ସେ କହିଛନ୍ତି ।
ବ୍ରିଟେନରେ ଘଟୁଥିବା କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ପଛରେ ଓମିକ୍ରନ୍ର ଭୂମିକାକୁ ହେୟଜ୍ଞାନ କରିବା ଅନୁଚିତ ବୋଲି ସେ କହିଛନ୍ତି । ଡେଲ୍ଟା ତୁଳନାରେ ଓମିକ୍ରନ୍ ଏତେଟା ଘାତକ ସାବ୍ୟସ୍ତ ହେଉନାହିଁ ସତ, ତେବେ ଆଗାମୀ ଦିନରେ ଏହା କେଉଁ ରୂପ ଧାରଣ କରିବ, ତାହା ଏବେଠାରୁ କଳନା କରିବା ଅସମ୍ଭବ ବୋଲି ସେ ଚେତାଇ ଦେଇଛନ୍ତି । ବର୍ତ୍ତମାନ କୋଭିଡ୍ ସଂକ୍ରମିତଙ୍କର ଜେନୋମ୍ ସିକ୍ୱେନ୍ସିଂ କରାଯାଉଛି । ତେବେ ପ୍ରତ୍ୟେକ କୋଭିଡ୍ ସଂକ୍ରମିତଙ୍କର ଏହି ପରୀକ୍ଷା କରାଯିବା ସମ୍ଭବ ହୋଇନପାରେ ବୋଲି ସେ କହିଛନ୍ତି ।
ଭାରତ ସରକାର ଓମିକ୍ରନ୍ ସଂକ୍ରମଣ ଉପରେ କଡା ନଜର ରଖିଛନ୍ତି । ଏହାସତ୍ତ୍ୱେ ଲୋକଙ୍କୁ ସବୁବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ବ୍ରିଟେନରେ ଶୁକ୍ରବାର ୩୨୦୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ୧୫ ହଜାର ଛୁଇଁବାକୁ ଯାଉଛି । ଅପରପକ୍ଷରେ ଶନିବାର ସୁଦ୍ଧା ଭାରତର ୧୧ଟି ରାଜ୍ୟରେ ମୋଟ ୧୧୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୪୦ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏହାପଛକୁ ରାଜସ୍ଥାନ ୧୭ ଓ କର୍ଣ୍ଣାଟକ ୧୪ ରହିଛନ୍ତି ।