ଲଣ୍ଡନ: ଚଳିତ ୱିମ୍ବଲଡନ୍ ଓପନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ତାରକା ଖେଳାଳି ନୋଭାକ୍ ଜୋକୋଭିଚ୍ । ସର୍ବିୟାର ଏହି ଦ୍ୱିତୀୟ ସିଡ୍ ଖେଳାଳି ଜଣକ ଶୁକ୍ରବାରର ସେମିଫାଇନାଲ୍ରେ ଇଟାଲୀର ଜାନିକ୍ ସିନର୍ଙ୍କୁ ୬-୩,୬-୪,୭-୬ ସେଟ୍ରେ ପରାସ୍ତ କରି କ୍ୟାରିଅର୍ରେ ନବମ ଥର ପାଇଁ ଏଠାରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଅଷ୍ଟମ ସିଡ୍ ସିନର୍ଙ୍କୁ ହରାଇବା ସକାଶେ ଜୋକୋଭିଚ୍ ୩ ଘଣ୍ଟାରୁ ବି କମ୍ ସମୟ ଅର୍ଥାତ୍ ୨ ଘଣ୍ଟା ୪୭ ମିନିଟ୍ ନେଇଥିଲେ । ୨୦୧୪ ସଂସ୍କରଣଠାରୁ ଅଦ୍ୟାବଧି ଏଠାରେ ଅପରାଜେୟ ରହିଥିବା ଜୋକୋଭିଚ୍ କ୍ୟାରିଅର୍ରେ ୩୫ତମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ରେ ମଧ୍ୟ ପ୍ରବେଶ କରିଛନ୍ତି । ଏଥିସହ ସେ ଏଠାରେ ଅଷ୍ଟମ ଓ କ୍ୟାରିଅର୍ର ରେକର୍ଡ ୨୪ତମ ଟାଇଟଲ୍ର ବେଶ୍ ନିକଟତର ହୋଇଛନ୍ତି ।
ଅଦ୍ୟାବଧି ଏଠାରେ ୭ଟି ଟାଇଟଲ୍ ଜିତି ଆମେରିକାର ପିଟ୍ ସାମ୍ପ୍ରାସଙ୍କ ସହ ଦ୍ୱିତୀୟ ସ୍ଥାନରେ ଥିବା ଜୋକୋଭିଚ୍ ଶୁକ୍ରବାରର ବିଜୟ ସହ ସ୍ୱିଜରଲାଣ୍ଡ୍ର କିମ୍ବଦନ୍ତୀ ଖେଳାଳି ରୋଜର୍ ଫେଡେରର୍ଙ୍କ ସମକକ୍ଷ ହେବାର ସୁଯୋଗ ପାଇଛନ୍ତି । ଗତ ବର୍ଷ ଏଠାରେ ଜୋକୋଭିଚ୍ ଓ ସିନର୍ଙ୍କ ମଧ୍ୟରେ କ୍ୱାର୍ଟର୍ ଫାଇନାଲ୍ରେ ମୁକାବିଲା ହୋଇଥିଲା । ତେବେ ଉକ୍ତ ମୁକାବିଲାରେ ସିନର୍ ବିଜୟୀ ହୋଇ ତାଙ୍କ କ୍ୟାରିଅର୍ର ସବୁଠାରୁ ସ୍ମରଣୀୟ ସଫଳତା ପାଇଥିଲେ ହେଁ ଶୁକ୍ରବାର ମୁକାବିଲାରେ ସେ ସମ୍ପୂର୍ଣ୍ଣ ଭାବେ ଫିକା ନଜର ଆସିଥିଲେ । ସେ ଆଦୌ ଚାଲେଞ୍ଜ୍ ଦେଇନପାରିବାରୁ ଜୋକୋଭିଚ୍ ପ୍ରଥମ ସେଟ୍କୁ ମାତ୍ର ୪୨ ମିନିଟ୍ରେ ଜିତିନେଇଥିଲେ ।
ସେ ମୁଖ୍ୟତଃ ବ୍ୟାକ୍ହ୍ୟାଣ୍ଡ୍ ସ୍ଲାଇସ୍ ମାଧ୍ୟମରେ ୨୧ ବର୍ଷୀୟ ସିନର୍ଙ୍କୁ ବାରମ୍ବାର ସମସ୍ୟାରେ ପକାଇଥିଲେ । କ୍ରମାଗତ ଅଷ୍ଟମ ସେମିଫାଇନାଲ୍ ବିଜୟ ପରେ ଜୋକୋଭିଚ୍ କ୍ୟାଲେଣ୍ଡର୍ ସ୍ଲାମ୍ ଦିଗରେ ମଧ୍ୟ ଅଗ୍ରସର ହୋଇଛନ୍ତି । ଗତ ୨୦୨୧ରେ କ୍ୟାଲେଣ୍ଡର୍ ସ୍ଲାମ୍ରୁ ବଞ୍ଚିତ ହୋଇଥିବା ଜୋକୋଭିଚ୍ ଚଳିତ ସିଜନ୍ରେ ଅଦ୍ୟାବଧି ଅଷ୍ଟ୍ରେଲିଆନ୍ ଓପନ୍ ଓ ଫ୍ରେଞ୍ଚ୍ ଓପନ୍ରେ ଚାମ୍ପିଅନ୍ ହୋଇସାରିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ଖେଳାଯାଇଥିବା ମିକ୍ସଡ ଡବଲ୍ସ ଫାଇନାଲ୍ରେ ବେଲଜିୟମ୍ର ଜୋରାନ୍ ବ୍ଲିଗେନ୍ ଓ ଚୀନ୍ର ଜୁ ୟିଫାନ୍ ଯୋଡ଼ିକୁ ୬-୪, ୬-୭(୯),୬-୩ରେ ପରାସ୍ତ କରି ସପ୍ତମ ସିଡ୍ ୟୁକ୍ରେନ୍ର ଲ୍ୟୁଡ୍ମିଲା କିଚେନୋକ୍ ଓ ତାଙ୍କ ଯୋଡ଼ିଦାର କ୍ରୋଏସିଆର ମେଟ୍ ପାଭିକ୍ ଚାମ୍ପିଅନ୍ ହୋଇଛନ୍ତି ।