28.1 C
Bhubaneswar
Wednesday, December 17, 2025
Homeଓଡିଶାବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ କରିବ :ମନ୍ତ୍ରୀ

ବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ କରିବ :ମନ୍ତ୍ରୀ

ଭୁବନେଶ୍ଵର: ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (GFTN) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ (I-GFTCH) ର ଆନୁଷ୍ଠାନିକ ଶୁଭାରମ୍ଭ ୨୧ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ହେବ । ଏ ସଂପର୍କରେ କୃଷି ଭବନସ୍ଥିତ ଅଡ଼ିଟୋରିଅମରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଓଡ଼ିଶାର ଯୁବକଯୁବତୀମାନଙ୍କ ଦକ୍ଷତା ଯେତେ ବୃଦ୍ଧି ହେବ ଓଡ଼ିଶାର ଅର୍ଥନୀତି ସେତେ ସୁଦୃଢ ହେବ । ସେକଥାକୁ ହୃଦୟଙ୍ଗମ କରି “NUS(National University of Singapore) ସହଭାଗିତାରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । 1.8 ଟ୍ରିଲିୟନ ଡଲାର କ୍ଷମତା ବିଶିଷ୍ଟ ବିଶ୍ୱ ଡିଜିଟାଲ୍ ଅର୍ଥନୀତିର ଏକ ଅଗ୍ରଣୀ ଅଂଶୀଦାର ହେବା ପାଇଁ ଆମେ ଆମ ଯୁବକଯୁବତୀଙ୍କୁ ପ୍ରସ୍ତୁତ କରୁଛୁ, ବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ଏହି ଭବିତବ୍ୟ ପଦକ୍ଷେପ ସୁଦୃଢ଼ କରିବ ଏବଂ ଓଡିଶା ଜିଡିପି ସଶକ୍ତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି । ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କାପାବିଲିଟି ହବ୍ ରେ ପିଲାମାନେ ବିଶ୍ୱସ୍ତରୀୟ ଶିକ୍ଷାଲାଭ ପାଇବେ ଯାହାଦ୍ୱାରା ତାଙ୍କର ଚାହିଦା ବିଶ୍ବବଜାରରେ ଆଶାତୀତ ଭାବେ ବଢିବ ବୋଲି ସେ କହିଛନ୍ତି । ଆମ ସରକାର ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ପ୍ରଯୁକ୍ତି ବିଦ୍ୟା ସହାୟତାରେ ପ୍ରତିଭା ନିର୍ମାଣ କରିବାକୁ ସରକାର ପ୍ରତିବଦ୍ଧ । ଏହି ନବସୃଜନ ମାନେ ଆଗାମୀ ଦିନରେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତ ପ୍ରକାଶ କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଵିଶାଲ ଦେବ ସ୍ୱାଗତ ଭାଷଣ ଏବଂ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଭାଷୀ ମାଧ୍ୟମରେ GFTN ର ଗ୍ରୁପ୍ ସିଇଓ ଶ୍ରୀ ସୋପନେନ୍ଦୁ ମହାନ୍ତି ଏବଂ GFTN ଫୋରମ୍ସର ସହ-ସିଇଓ ଜେମ୍ସ ବୋଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶହେରୁ ଉର୍ଦ୍ଧ ଏବଂ ଅଭାସି ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣର ୨୦୦ ରୁ ଉର୍ଦ୍ଧ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଭବିଷ୍ୟତ-ପ୍ରମାଣ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଏବଂ ବୀମା ପ୍ରଯୁକ୍ତିବିଦ୍ୟା ବୃତ୍ତିଗତ ପ୍ରମାଣପତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଓଡ଼ିଶା ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ଫାଇନାନ୍ସ (NUS-AIDF) ଏବଂ GFTN ସହିତ ସହଭାଗୀତାରେ ପାଞ୍ଚ ମାସର ହାଇବ୍ରିଡ୍ ପାଠ୍ୟକ୍ରମ – ଅନଲାଇନ୍ ମଡ୍ୟୁଲ୍, ଭୁବନେଶ୍ୱରରେ ଦୁଇ ସପ୍ତାହର କ୍ୟାମ୍ପସ୍ ଅଧିବେଶନ, ଇଣ୍ଟର୍ନସିପ୍ ସୁଯୋଗକୁ ମିଶ୍ରଣ କରି – ଶିଳ୍ପ-ପ୍ରାସଙ୍ଗିକ ଏବଂ ନିଯୁକ୍ତି-ମୁଖୀ ହେବା ପାଇଁ ଡିଜାଇନ୍ କରାଯାଇଛି। ଏହି ପଦକ୍ଷେପ ଫଳରେ ସମସ୍ତ ଜିଲ୍ଲାରୁ 7,000 ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଏବଂ ବୀମା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା, ନିୟାମକ ଢାଞ୍ଚା ଏବଂ ବ୍ୟବସାୟିକ କାର୍ଯ୍ୟ ସମ୍ବନ୍ଧୀୟ ବାସ୍ତବ ବିଶେଷଜ୍ଞତା ସହିତ ସଶକ୍ତ କରିବ । ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରସ୍ତୁତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking