ଭୁବନେଶ୍ୱର : ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆଉ କାମ କରିବେ ନାହିଁ ଅଭିନେତା ବାବୁସାନ ମହାନ୍ତି । କେବଳ ପ୍ରକୃତି ମିଶ୍ର କାହିଁକି ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଫିଲ୍ମ କରିବେ ନାହିଁ ଓଲିଉଡ୍ ହିରୋ ବାବୁସାନ୍ ମହାନ୍ତି । ଏକଥା ନିଜେ ବାବୁସାନ୍ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଛନ୍ତି । ଗତକାଲିର ଘଟଣା ପରେ ଚେନ୍ନାଇ ଟୁରରେ ଯାଇଥିବା ଅଭିନେତା ବାବୁସାନ ଭିଡିଓ ଜାରି କରି ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ୫୪ ସେକେଣ୍ଡର ଏହି ଭିଡିଓ ବାର୍ତ୍ତାରେ ସେ ନିଜର ପାରିବାରିକ ଓ ବୃତ୍ତିଗତ ଜୀବନ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଏହା ସହ ଗତକାଲିର ଘଟଣାକୁ ନେଇ ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି କହିଛନ୍ତି, ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ ।
ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନଭାଇଟେଡ ଥିଲେ । ମୁଁ ଏଠିକି ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ତାଙ୍କ ସହ ନୂଆ ଫିଲ୍ମର ଘୋଷଣା ପାଇଁ । ହେଲେ ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି । ଯଦି ପରିବାରରେ ଏତେ ଅସୁବିଧା ଅଛି, ତେବେ ମୁଁ ସେ ଫିଲ୍ମ ବି କରିବିନି ଏବଂ ତାଙ୍କ ସହ ମଧ୍ୟ ସିନେମା କରିବିନି । ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ । କିଛି ଏଭଳି କହି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବାବୁସାନ ।