ହାଇଦ୍ରାବାଦ: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ, ମରିଗଲା ମାନବିକତା, ସ୍ବାମୀର ମୃତ୍ୟପରେ ଅନ୍ତିମ ସତ୍କାର ନକରି ସମ୍ପତ୍ତି ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡା । ସ୍ବାମୀ ମୃତ ଶରୀରକୁ ଶଶ୍ମାନ ନେବା ବଦଳରେ ଘରେ ରଖି ଉଭୟ ପହଞ୍ଚିଲେ ତହସିଲଦାର କାର୍ଯ୍ୟାଳୟରେ। ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଜଗଟିଆଲ ଜିଲ୍ଲାରେ । ମୃତକ ଜଣଙ୍କ ହେଉଛନ୍ତି ଆୟାଲାପୁରର ପୂର୍ବତନ ସରପଞ୍ଚ ମମିଦଲା ନରସିଂହଲୁ । ଗତ ଗୁରୁବାର ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ତାଙ୍କର ୨ଜଣ ପତ୍ନୀ ଥିବା ବେଳେ ମୃତ୍ୟୁ ସମୟରେ ତାଙ୍କର ପ୍ରଥମ ପତ୍ନୀ ତାଙ୍କ ସହିତ ଥିଲେ । ସେ ହାଇଦ୍ରବାଦରୁ ସ୍ବାମୀଙ୍କ ମୃତଦେହ କୋରୁଟଲାକୁ ଆଣିଥିଲେ । ଏହାପରେ ଶେଷକୃତ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ତେବେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ନେଇ ଦ୍ବିତୀୟ ସ୍ତ୍ରୀ ଖବର ପାଇବା ପରେ ସୋ ଗ୍ରାମରେ ପହଞ୍ଚି ସତ୍କାର ପୂର୍ବରୁ ସମ୍ପତ୍ତି ଭାଗ ପାଇଁ ଅଡିବସିଥିଲେ । ତାଙ୍କୁ ମନାଇବା ଚେଷ୍ଟା କରିଥିଲେ ମଧ୍ୟ ସମ୍ପତ୍ତି ନେବା ଜିଦରେ ସେ ଅଟଳ ଥିଲେ ।
ଯେଉଁ ପର୍ଯ୍ୟନ୍ତ ସମ୍ପତ୍ତି ଭାଗ ନହୋଇଛି ସେ ପର୍ଯ୍ୟନ୍ତ ଅନ୍ତିମ ସତ୍କାର କରାଇ ଦେବେ ନାହିଁ ବୋଲି କହିଥିଲେ ।ଏହା ପରେ ଦୁଇ ପତ୍ନୀ ସ୍ୱାମୀଙ୍କ ମୃତଦେହକୁ ଛାଡି କାଥାଲାପୁର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପ୍ରଥମ ପତ୍ନୀଙ୍କ ନାମରେ ତିନି ଏକର କୃଷି ଜମି ଦ୍ୱିତୀୟ ପତ୍ନୀଙ୍କ ନାମରେ ସ୍ଥାନାନ୍ତରିତ ହେବା ପରେ ସେମାନେ ଘରକୁ ଆସି ସ୍ୱାମୀଙ୍କ ଅନ୍ତିମ ସଂସ୍କାର ଶେଷ କରିଥିଲେ।