ମାଲକାନଗିରି : ଆମେ ଆଉ କାମ କରିବୁନି । ମାଓବାଦୀ ମୋ ସ୍ୱାମୀଙ୍କୁ ଦୟାକରି ଛାଡି ଦିଅନ୍ତୁ । ଆମେ ଘରକୁ ଚାଲିଯିବୁ । ଏଭଳି ରୁଦ୍ଧ ସ୍ୱରରେ ମାଓ ସଙ୍ଗଠନକୁ ଗୁହାରି କରିଛନ୍ତି ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରାସ୍ତା କାମରେ ନିୟୋଜିତ ଗୁପ୍ତା କମ୍ପାନୀର ଇଞ୍ଜିନିୟର ଅଶୋକ ପାୱାର ଏବଂ ସହଯୋଗୀଙ୍କୁ ଗତ ଏଗାର ତାରିଖରେ ଅପହରଣ କରିଥିଲେ । ତେବେ ୪ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଇଞ୍ଜିନିୟରଙ୍କୁ ମାଓବାଦୀ ନିଜ କବ୍ଜାରେ ରଖିଛନ୍ତି । ନକ୍ସଲ ଆଜି ପ୍ରଜା କୋର୍ଟରେ ଇଞ୍ଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ହଜାର କରାଇ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବେ ବୋଲି ଜଣାପଡିଛି । ଇଞ୍ଜିନିୟରଙ୍କ ପତ୍ନୀ ନେହୁରା ହୋଇ କହିଛନ୍ତି ଯେ, ଏହି ଅଞ୍ଚଳ ଛାଡି ଚାଲିଯିବା ସହ କାମ ମଧ୍ୟ ଛାଡି ଚାଲିଯିବେ । ତେଣୁ ଇଞ୍ଜିନିୟରଙ୍କ ପତ୍ନୀ, ପିଲାଙ୍କୁ ସାଙ୍ଗରେ ନେଇ ସ୍ୱାମୀଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀଙ୍କୁ ଗୁହାରି କରିଛନ୍ତି । ତେବେ ପୂର୍ବରୁ ଅନୁରୂପ ଆଉ ଜଣେ ଇଞ୍ଜିନିୟରଙ୍କୁ ମାଓବାଦୀ ଅପହରଣ କରି ମୁକ୍ତ କରିଥିବା ବେଳେ, ଅଶୋକଙ୍କୁ ମଧ୍ୟ ମାଓବାଦୀ ମୁକ୍ତ କରିଦେବେ ବୋଲି ପତ୍ନୀ ଆଶା ବାନ୍ଧିଛନ୍ତି ।