ବେଙ୍ଗାଲୁରୁ : ଚାକିରି ଦେବା ନାଁରେ ଲୋକମାନଙ୍କୁ ଠକୁଥିବା ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମାନବ ସମ୍ବଳ ସଂସ୍ଥାର ପରିଚୟ ଜାଲିଆତି କରି ଅସାଧୁ ଉପାୟରେ ଲୋକମାନଙ୍କୁ ଠକିବା ଉଦ୍ୟମ ହେଉଛି। କେତେକ ମାମଲାରେ ପ୍ରାର୍ଥୀଙ୍କଠାରୁ ଟଙ୍କା ଆଦାୟ ମଧ୍ୟ କରାଯାଉଛି। ପ୍ରାର୍ଥୀଙ୍କୁ ଆକୃଷ୍ଟ କରିବା, ସେମାନଙ୍କ ସାକ୍ଷାତକାର ନେବା, କାଗଜପତ୍ର ସଂଗ୍ରହ କରିବା ପରେ ଏହି ଠକ ସଂସ୍ଥାଗୁଡ଼ିକ ରାତାରାତି ଉଭାନ ହୋଇଯାଉଛନ୍ତି। ପ୍ରଯୁକ୍ତି ଦୁନିଆରେ ଛଟେଇ ଜାରି ରହିଥିବା ବେଳେ ଚାକିରି ଦେବା ନାଁରେ ଠକେଇ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗତ ଛଅ ମାସରେ ଏଭଳି ମାମଲା ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ଘଟିଛି ବୋଲି ମ୍ୟାନ୍ପାୱାର ଗ୍ରୁପ୍ର ସଭାପତି ଆଲୋକ କୁମାର କହିଛନ୍ତି।
ଠକ ସଂସ୍ଥାଗୁଡ଼ିକ ଏକ ମିଛ ପରିଚୟ ସୃଷ୍ଟି କରୁଛନ୍ତି। ସେମାନେ ପ୍ରତିଷ୍ଠିତ କଂପାନିର ଲୋଗୋ ବ୍ୟବହାର କରି କାର୍ଯ୍ୟାଳୟ ଖୋଲୁଛନ୍ତି। ସେମାନଙ୍କ ଭଳି ଲେଟର ହେଡ୍ ତିଆରି କରୁଛନ୍ତି। ଜାଲ ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି। ଅନଲାଇନ୍ରେ କିମ୍ବା କାର୍ଯ୍ୟାଳୟକୁ ଡକାଇ ପ୍ରାର୍ଥୀମାନଙ୍କ ସାକ୍ଷାତକାର ନେଉଛନ୍ତି। ତେଣୁ ଆଶାୟୀ ପ୍ରାର୍ଥୀମାନଙ୍କ ମନରେ କୌଣସି ସନ୍ଦେହ ସୃଷ୍ଟି ହେଉନି। ସେମାନେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ବିବରଣୀ, ବ୍ୟାଙ୍କ ଖାତା ବିବରଣୀ ଆଦି ସଂଗ୍ରହ କରୁଛନ୍ତି। ସେମାନଙ୍କଠାରୁ ଏଜେନ୍ସି ଫି’, ଭିସା ଫି’ ଆଦି ଜରିଆରେ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି। ନିଜ ପ୍ରକୃତ ପରିଚୟ ଧରାପଡ଼ିବା ପୂର୍ବରୁ ସେମାନେ ରାତାରାତି ଉଭାନ ହୋଇଯାଉଛନ୍ତି। ଦେଶର ପ୍ରମୁଖ ମାନବ ସମ୍ବଳ ଏଜେନ୍ସି ଯଥା ମାନପାୱାର, ରାଣ୍ଡ୍ଷ୍ଟାଡ୍, ଫାଉଣ୍ଡ୍ଇଟ୍ ଓ ଆଡେକୋ ଆଦି ଏଭଳି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ସୋସିଆଲ ମିଡିଆରେ ସେମାନେ ଏନେଇ ସଚେତନତା ସୃଷ୍ଟି କରୁଛନ୍ତି। ନିଜ ୱେବସାଇଟ୍ରେ ସତର୍କ ସୂଚନା ଦେଉଛନ୍ତି।