ନୂଆଦିଲ୍ଲୀ: କୋକିଳ କଣ୍ଠୀ ଲତା ମଙ୍ଗେସକର ଆଜି ଆଉ ଆମ ପାଖରେ ନାହାନ୍ତି । ହେଲେ ସେ ଗାଇଥିବା ଗୀତରେ ସବୁବେଳେ ରହିବେ । ଦେଶରେ ଏମିତି କିଏ ସଂଗୀତ ପ୍ରେମୀ ନଥିବ, ଯିଏ ଲତାଙ୍କ ଗୀତ ଶୁଣିନଥିବ । ୭୦୦ରୁ ଅଧିକ ଗୀତରେ କଣ୍ଠ ଦାନ କରିସାରିଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ସ୍ୱର ପିଲା ବେଳୁ ପରିଣତ ବୟସ ପର୍ଯ୍ୟନ୍ତ ସେତିକି ମିଠା ଥିଲା । ନିଜର ମଧୁର ସ୍ୱରର ଯାଦୁ ଦେଖାଇ ଲତା ସାରା ଦୁନିଆରେ ଭାରତକୁ ପରିଚିତ କରାଇପାରିଥିଲେ ।
ମିଠା ସ୍ୱର ବ୍ୟତୀତ ସେ କୋମଳ ଓ ଦୟାଳୁ ହୃଦୟ ପାଇଁ ପରିଚିତ ଥିବା ଲତାଙ୍କ ପ୍ରପେସନାଲ ଲାଇଫ ସଫଳପୂର୍ଣ୍ଣ ଥିଲା । ହେଲେ ଯେତେବେଳେ ତାଙ୍କର ବ୍ୟକ୍ତିଗତ ଜୀବନ କଥା ଆସେ, ତେବେ ଫ୍ୟାନ୍ସ ତାଙ୍କର ବିବାହ ଦେଖିବାକୁ ଚାହୁଁଥିଲେ । ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ଲତା ମଙ୍ଗେସକର କାହିଁକି ବିବାହ କରିନଥିଲେ । ସଫଳତାର ଶୀର୍ଷରେ ପହଂଚିଥିବା ଲତା ସାରାଜୀବନ କାହିଁକି ଅବିବାହିତା ଥିଲେ । ତେବେ ସେ ବିବାହ ନକରିବାକୁ ନେଇ ଅନେକ କଥା ଶୁଣିବାକୁ ମିଳେ । ହେଲେ ଲତା ୨୦୧୧ରେ ନିଜ ଜନ୍ମଦିନ ଅବସରରେ ଏକ ଇଣ୍ଟରଭ୍ୟୁ ସମୟରେ ନିଜେ ଏହାର କାରଣ କହିଥିଲେ ।
ବିବାହର ସ୍ୱପ୍ନ ନେଇ ବଢୁଥିବା ପ୍ରତିଟି ଝିଅ ଙ୍କ ଭଳି କଣ ଆପଣ ବିବାହ କରିବାକୁ କେବେ ବିଚାର କରିନଥିଲେ ପ୍ରଶ୍ନରେ ସେ କହିଥିଲେ ସବୁକିଛି ଭଗବାନଙ୍କ ଇଚ୍ଛା ଅନୁସାରେ ହୋଇଥାଏ । ଜୀବନରେ ଯାହା ହୁଏ ସେ ସବୁ ଭଲ ପାଇଁ ହୁଏ ଏବଂ ଯାହା ନହୁଏ ତାହା ବି ଭଲ ପାଇଁ ହୁଏ । ସେ ସମୟରେ ସେ ୮୨ ବର୍ଷରେ ଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯଦି ଏହି ପ୍ରଶ୍ନ ମୋତେ ୪-୫ ଦଶକ ପୂର୍ବରୁ ପଚରା ଯାଇଥାନ୍ତା ତେବେ ହୁଏତ ଆଉ କିଛି ଉତ୍ତର ମିଳିପାରିଥାନ୍ତା । ହେଲେ ଆଜି ମୋ ପାଖରେ ଏମିତି ବିଚାର ପାଇଁ କୌଣସି ସ୍ଥାନ ନାହିଁ ।
ଘରେ ସବୁଠୁ ବଡ ଥିଲେ ଲତା । ସେଥିପାଇଁ ତାଙ୍କ ଉପରେ ସବୁ ଦାୟିତ୍ୱ ଥିଲା । କମ ବୟସରୁ ସେ କାମ କରିବାକୁ ଲାଗିଥିଲେ । ତାଙ୍କ ପାଖରେ ସବୁବେଳେ କାମ ରହୁଥିଲା । ୧୯୪୨ରେ ଯେତେବେଳେ ସେ ୧୩ ବର୍ଷ ବୟସର ହୋଇଥିଲେ, ସେହି ସମୟରେ ତାଙ୍କ ପିତାଙ୍କ ପରଲୋକ ହୋଇଥିଲା । ଏମିତିରେ ସବୁ ଦାୟିତ୍ୱ ତାଙ୍କ ଉପରକୁ ଆସିଯାଇଥିଲା ।
ବିବାହ ନକରିବା ପଛରେ ଲତାଙ୍କ ନାମକୁ ତାଙ୍କ ଅତି ନିକଟତମ ବନ୍ଧୁ ରାଜସିଂହ ଡୁଙ୍ଗରପୁରଙ୍କ ସହ ଯୋଡି କୁହାଯାଏ । ରାଜ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ଥିଲେ । ଇଣ୍ଟରନ୍ୟାସନାଲ ବିଜନେଓ ଟାଇମ୍ସ ରିପୋର୍ଟ ଅନୁସାରେ, ଲତା ମଙ୍ଗେସକର ଓ ରାଜ ସିଂହ ଡୁଙ୍ଗରପୁର ବିବାହ କରିବାକୁ ଚାହୁଁଥିଲେ । ହେଲେ ରାଜ ଯେତେବେଳେ ନିଜ ପିତାମାତଙ୍କୁ ଏ ସଂପର୍କରେ କହିଥିଲେ ତାଙ୍କ ବାପା ମହାରାବଲ ଲକ୍ଷମଣ ସିଂ ଏହି ପ୍ରସ୍ତାବକୁ ଖାରଜ କରିଥିଲେ । ତେବେ ଲତା ଏ ସଂପର୍କରେ କେବେ ସ୍ପଷ୍ଟ କରିନଥିଲେ ବରଂ ଘରର ଦାୟିତ୍ୱକୁ ହିଁ କାରଣ ବତାଇଥିଲେ ।
ତେବେ ଲତା ମଙ୍ଗେସକରଙ୍କ ଜନ୍ମ ୨୮ ସେପ୍ଟେମ୍ବର ୧୯୨୯ରେ ଏକ ମଧ୍ୟବିତ୍ତ ମରାଠି ପରିବାରରେ ହୋଇଥିଲା । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିବା ଲତା ପଣ୍ଡିତ ଦୀନାନଥ ମଙ୍ଗେସକରଙ୍କ ବଡ ଝିଅ ଥିଲେ । ପିତା ରଂଗମଂଚର କଳାକାର ଓ ଗାୟକ ଥିଲେ । ପ୍ରଥମ ଥର ଷ୍ଟେଜ ଉପରେ ଗୀତ ଗାଇବା ପାଇଁ ତାଙ୍କୁ ୨୫ ଟଙ୍କା ମିଳିଥିଲା । ତାକୁ ସେ ତାଙ୍କର ପ୍ରଥମ ଆୟ ବୋଲି କୁହନ୍ତି । ୧୯୪୨ରେ ମରାଠୀ ଫିଲ୍ମ କିତି ହସାଲ ପାଇଁ ସେ ପ୍ରଥମ ଥର ଗୀତ ଗାଇଥିଲେ । ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଓ ଭଉଣୀ ଉଷା ମଙ୍ଗେସକର, ମୀନା ମଙ୍ଗେସକର ଓ ଆଶା ଭୋଷଲେ ସମସ୍ତେ ନିଜ କ୍ୟାରିଅର ରୂପରେ ସଂଗୀତ ବାଛିଥିଲେ । ତାଙ୍କ ପିତା ଶାସ୍ତ୍ରୀୟ ସଂଗୀତର ବହୁତ ବଡ ପ୍ରଂଶସକ ଥିଲେ । ସେଥିପାଇଁ ସେ ଲତାଙ୍କ ଫିଲ୍ମର ଗୀତଗୁଡିକର ବିପକ୍ଷରେ ଥିଲେ । ୧୯୪୨ରେ ପିତାଙ୍କ ପରଲୋକ ପରେ ଯେତେବେଳେ ଘରର ଆର୍ଥିକ ସ୍ଥିତି ଭଲନଥିଲା ସେ ମରାଠୀ ଓ ହିନ୍ଦୀ ଫିଲ୍ମରେ ଛଟୋ ଛଟୋ ରୋଲ ବି କରିଥିଲେ । ହେଲେ ଲତାଙ୍କୁ ତାଙ୍କର ସୁମଧୁର ସ୍ୱର ହିଁ ପରିଚୟ ଦେଇପାରିଥିଲା ।