ଭୁବନେଶ୍ୱର : ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ଜୋର୍ଦାର୍ ପ୍ରଚାର କରାଯାଉଛି । ବିଶେଷ କରି ବିଜେପି – ବିଜେଡି ଭିତରେ ଟକରା ଟକରି ଓ ଆରୋପ ପ୍ରତ୍ୟାରୋପ ଘଟଣା ବେଶି ଦେଖାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ରୋଚକ ବଷୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର କହି ଚାଲିଛନ୍ତି ଜୁନ୍ ୪ରେ ବିଜେଡି ସରକାରର ‘ଏକ୍ସପାରୀ ଡେଟ୍’ । ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସି ଏକଥା କହି ସ।।ରିଛନ୍ତି । ଆସନ୍ତାକାଲି ସେ ପୁଣି ଶେଷ ପର୍ଯ୍ୟାୟ ପ୍ରଚାରରେ ସାମିଲ ହେବାକୁ ଆସୁଛନ୍ତି । ଏହା ଭିତରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷତାକାର ଆଜି ପଦାକୁ ଆସିଛି । ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସମ୍ପର୍କରେ ଏହି ସମାନ ବାର୍ତ୍ତା ଦେଇ ଦେଶକୁ ଜଣାଇବାକୁ ଚାହିଁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ବାରମ୍ବାର ଏହି ଗୋଟିଏ କଥା କହିଚାଲିଛନ୍ତି ସେଥିରେ ନିଶ୍ଚିତ ଭାବରେ ଧରି ନେବାକୁ ହେବ ଦାୟିତ୍ୱ ବୋଧର ସହ କହୁଛନ୍ତି । ହେଲେ ପ୍ରଧାମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ଅନ୍ୟତମ ପ୍ରମୁଖ ପ୍ରଚାରକ ଭାବେ ମଙ୍ଗ ଧରି ଥିବା ଭି.କେ. ପାଣ୍ଡିଆନ୍ ଖୋଲା ଖୋଲି ଭାବେ ବିଜେପିକୁ ଏ ନେଇ ଆହ୍ୱାନ ଜଣାଇଥିଲେ । ସେ ସିଧାସଳଖ ଜନସଭାରେ ଘୋଷଣା କରିଥିଲେ ଯଦି ବିଜେପି ସରକାର ଗଠନ କରିବ ତେବେ ସେ ସବୁଦିନ ପାଇଁ ସନ୍ୟାସ ନେବେ । ଏଣୁ ବିଜେପି କ୍ଷମତାକୁ ନ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସନ୍ୟାସ ନେବେ କି ବୋଲି ଆହ୍ୱାନ ଦେଇଥିଲେ । ହେଲେ ତାଙ୍କର ଏହି ଆହ୍ୱାନକୁ କାହିଁକି ବିଜେପି ଗ୍ରହଣ ନ କରି ପଛଘୁଞ୍ଚା ଦେଉଛି ତାହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହେଉଛି ସନ୍ଦେହ । ଯେଉଁ ଘଟଣା ଏବେ ରାଜ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ଏବେ ବିଜେପି ନେତାମାନେ ସରକାର ଗଠନ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରୁଥିବା ବେଳେ ପାଣ୍ଡିଆନ୍ଙ୍କ ଆହ୍ୱାନଙ୍କୁ ଗ୍ରହଣ କରିବାରେ କ’ଣ ସମସ୍ୟା ରହିଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ସେ ଓଡ଼ିଶାର ଜ୍ୱାଇଁ ହୋଇଥିଲେ ବି ଏବଂ ପ୍ରାଞ୍ଜଳ ଭାବରେ ଓଡ଼ିଆ କହିବା, ଓଡ଼ିଶାର ଭାଷା ସଂସ୍କୃତିକୁ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାର ଦେଖାଦେଇଛି । କେହି ଏହି କଥାକୁ ଅସ୍ୱୀକାର କରି ପାରିବେ ନାହିଁ । ଏହା ସତ୍ତ୍ୱେ ତାଙ୍କୁ ବାରମ୍ବାର ତାମିଲନାଡୁର ଲୋକ ବୋଲି କହି ବିଜେପି ନେତାମାନେ ଆକ୍ଷେପ କରି ଚାଲିଛନ୍ତି । ନିର୍ବାଚନ ପାଇଁ ରାଜନୈତିକ ଦୃଷ୍ଟି କୋଣରୁ ଏହା କହୁଥିଲେ ଭିନ୍ନ କଥା । ପ୍ରଧାନମନ୍ତ୍ରୀ ମଧ୍ୟ ପାଣ୍ଡିଆନ୍ଙ୍କୁ ଆକ୍ଷେପ କରିବାକୁ ପଛାଇ ନାହାଁନ୍ତି । ବର୍ତ୍ତମାନ ରାଜନୈତିକ ମହଲରେ ମୁଖ୍ୟତଃ ଆଲୋଚନା ହେଉଛି ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ନୁହେଁ ଜାତୀୟ ସ୍ତରରେ ଦେଶକୁ ବାର୍ତ୍ତା ଦେବା ପାଇଁ ଦୃଢ଼ତାର ସହ କହୁଛନ୍ତି ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ଓ ବିଜେପି କ୍ଷମତାକୁ ଆସିବ । ଦେଶର ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ କେବଳ ଦେଶବାସୀ ନୁହେଁ ବିଶ୍ୱର ଅନେକ ଲୋକଙ୍କ ନଜର ରହିଥାଏ । ଏହାକୁ ହାଲକା ଭାବେ ଗ୍ରହଣ କରାଯାଇ ନପାରେ । ଏଠି ପ୍ରଶ୍ନ ଉଠୁଛୁ ଯଦି ବାସ୍ତବରେ ପ୍ରଧାମନ୍ତ୍ରୀଙ୍କ ଏହି ଉକ୍ତି ସତ ନ ହୁଏ ତେବେ ସମଗ୍ର ବିଶ୍ୱରେ ସେ ‘ ମିଛୁଆ’ ଭାବରେ ପରିଚିତ ହେବେ । ଦେଶରେ ପ୍ରଧାମନ୍ତ୍ରୀଙ୍କ ମୁଣ୍ଡରେ ଏଭଳି କଳଙ୍କ ନ ଲାଗୁ ବୋଲି ଆଶା ରଖିବା । କାରଣ ସମଗ୍ର ବିଶ୍ୱରେ ମୋଦୀଙ୍କର ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ରହିଛି । ବିଶ୍ୱର ଯେଉଁ ଦେଶକୁ ସେ ଯାଆନ୍ତି ସେଠାରେ ତାଙ୍କୁ ଦେଖିବା ପାଇଁ ଓ ତାଙ୍କ କଥା ଶୁଣିବା ପାଇଁ ପ୍ରବଳ ଜନ ସମାଗମ ହୋଇଥାଏ । ବିଶ୍ୱରେ ତାଙ୍କର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଭାବମୂର୍ତ୍ତି ରହିଛି । ଏହା ନ ଭାଙ୍ଗୁ ବୋଲି ଆଶ ରଖିବା ।
ଏହି ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ପ୍ରଥମାର୍ଦ୍ଦରେ ଦୁଇଥର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ପରମ ମିତ୍ର ବୋଲି ସମ୍ବୋଧନ କରିଥିଲେ ଏବଂ ଆଉ ଏକ ବଡ଼ କଥା କହିଥିଲେ ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ହଠାତ୍ ମାସେ ,ଦେଢ଼ମାସ ଭିତରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କ’ଣ ହଠାତ୍ ଲୋକ ବିରୋଧୀ ହୋଇଗଲେ । ଏକଥାକୁ କେତେଦୂର ବିଶ୍ୱାସ କରିହେବ ତାହା ହେଉଛି ପ୍ରଶ୍ନ । ଲୋକେ ନବୀନଙ୍କ ପ୍ରତି ବିମୁଖ ହେବେ ତାହା ହେଲେ ଯାଇ ସେ ହାରିବେ । ଓଡ଼ିଶା ଲୋକଙ୍କ ମନୋଭାବ ଯାହା ଅନୁଧ୍ୟାନ କଲେ ଜଣାପଡ଼ୁଛି ସେମାନଙ୍କ ମନକୁ ଏଯାଏଁ ଛୁଇଁ ନାହିଁ । ବିଜେଡି ଆଜି ପର୍ଯ୍ୟନ୍ତ ଯାହା ଜିତିଚାଳିଛି ଓ ସରକାରରେ ରହି ଆସୁଛି ତାହାର ମୂଳ ମନ୍ତ୍ର ହେଲେ ନବୀନ ପଟ୍ଟନାୟକ । ସେ ଏବେବି ଲୋକଙ୍କ ପାଖରେ ବେଶ୍ ଗ୍ରହଣୀୟ ହୋଇ ରହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପ୍ରଧାମନ୍ତ୍ରୀଙ୍କ ସେତେବେଳର କଥା ଠିକ୍ ନା’ ବର୍ତ୍ତମାନ ଯାହା କହୁଛନ୍ତି ତାହା ଠିକ୍? ଅବଶ୍ୟ ୪ ତାରିଖରେ ଏହାର ପ୍ରମାଣ ମିଳିଯିବ ।
ବିଜେଡିର ଅନ୍ୟତମ ତାରକା ପ୍ରଚାରକ ଭି.କେ ପାଣ୍ଡିଆନ୍ ଜବାବରେ କହିଛନ୍ତି ୪ ତାରିଖ ଗଣତିରେ ବିଜେଡି ପୁଣି କ୍ଷମତାକୁ ଫେରିବ ଏବଂ ୯ ତାରିଖରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏ କଥାକୁ ସେ ପ୍ରତ୍ୟେକ ସଭା ସମିତିରେ କହି ଚାଲିଛନ୍ତି । ପ୍ରକୃତରେ ଜୁନ୍ ୪ ତାରିଖ ହିଁ ଏହାର ଜବାବ ମିଳିବ ।