ମୁମ୍ବାଇ: ଯଦି ଅଚାନକ୍ ଆପଣଙ୍କ ସାମ୍ନାକୁ ବାଘ ଚାଲି ଆସିବ, ଭାବନ୍ତୁ ସେହି ସମୟରେ ଅବସ୍ଥା କ’ଣ ହେବ । ପରିସ୍ଥିତିକୁ କେମିତି ସାମ୍ନା କରିବେ ଓ ବାଘ ମୁହଁରୁ କେମିତି ବର୍ତ୍ତିବେ ହଠାତ୍ ମୁଣ୍ଡରେ କିଛି ପଶିବ ନାହିଁ । ଏଭଳି କିଛି ଘଟଣା ମହାରାଷ୍ଟ୍ରରେ ଜଣେ ଯୁବକଙ୍କ ସହ ଘଟିଛି । ଦୁଃଖଦ କଥା, ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ଯୁବକଙ୍କ ଜୀବନ ଚାଲି ଯାଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏବେ ଏକ ବାଘ ଆତଙ୍କ ଖେଳାଇଛି । ବାଘର ଭୟରେ ଲୋକମାନେ ଘର ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି । ଲୋକମାନେ ବସବାସ କରୁଥିବା ଅଞ୍ଚଳରେ ବାଘଟି ବୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ପ୍ରବୀଣ ମରାଠେ ନାମକ ଜଣେ ଯୁବକ ସବୁଦିନ ଭଳି ମର୍ଣ୍ଣିଂ ୱାକ୍ରେ ଯାଇଥିଲେ ।
ସହର ବାହାରକୁ କାର୍ ନେଇ ଯାଇଥିବା ବେଳେ ରାସ୍ତାକଡ଼ରେ ଗାଡ଼ି ରଖି ମର୍ଣ୍ଣିଂ ୱାକ୍ କରୁଥିଲେ । ମର୍ଣ୍ଣିଂ ୱାକ୍ ସାରି ଫେରୁଥିବା ବେଳେ ଅଚାନକ ପ୍ରବୀଣଙ୍କ ସାମ୍ନାକୁ ଏକ ବାଘ ଚାଲି ଆସିଥିଲା । ହଠାତ୍ ବାଘକୁ ସାମ୍ନାରେ ଦେଖି ତାଙ୍କର ହାର୍ଟ ଆଟାକ୍ ହୋଇଥିଲା । ଏଥିଯୋଗୁ ତାଙ୍କର ଜୀବନ ମଧ୍ୟ ଚାଲିଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲୁ । ସେହି ସମୟରେ ତାଙ୍କର ନିଶ୍ୱାସପ୍ରଶ୍ୱାସ ଚାଲୁଥିଲା । ଏହାପରେ ତୁରନ୍ତ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା ।
ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ହେଲେ ତା’ ପୂର୍ବରୁ ପ୍ରବୀଣଙ୍କ ଜବୀନ ଚାଲି ଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଏନେଇ ବନ ବିଭାଗ ମଧ୍ୟ ସ୍ପଷ୍ଟ କରିଛି । ସୂଚନାଥାଉ କି, କିଛିଦିନ ପୂର୍ବେ ଜଣେ ବୃଦ୍ଧ ଶୌଚ ପାଇଁ ଯାଇଥିବା ବେଳେ ବାଘ ତାଙ୍କ ସାମ୍ନାକୁ ଚାଲି ଆସିଥିଲା । ବାଘକୁ କୁକୁର ଭାବି ୬୫ ବର୍ଷୀୟ ବୃଦ୍ଧ ବାଘ ପାଖକୁ ଚାଲି ଯାଇଥିଲେ । ସୌଭାଗ୍ୟବଶତଃ, ସେଠାରୁ ସେ କୌଶଳକ୍ରମେ ଖସି ପଳାଇଥିଲେ ।