ଭୁବନେଶ୍ୱର: ଜଣେ ନାବାଳିକାଙ୍କ ସହ ଜୋରଜବରଦସ୍ତି କଥା ହେବ ଏବଂ ତାଙ୍କ ସାଇକେଲ ଭାଙ୍ଗିବା ଅଭିଯୋଗରେ ୨ ଜଣଙ୍କୁ ଲିଙ୍ଗରାଜ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଦୁର୍ଗା ଚରଣ ଭୁଆଁ ଏବଂ ସରୋଜ ବେହେରା । ପୁଲିସ ସୂଚନା ମୁତାବକ, ଘଟଣା ଦିନ ଅଭିଯୋଗକାରୀଙ୍କ ନାବାଳିକା ଝିଅ ରବିଟକିଜ ଛକରୁ ଟ୍ୟୁସନ ସାରି ବିନ୍ଦୁସାଗର ରାସ୍ତାରେ ଘରକୁ ଫେରୁଥିବା ସମୟରେ ତରଙ୍ଗ କ୍ଲବ ନିକଟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ସହଯୋଗୀ ତାଙ୍କୁ ରାସ୍ତାରେ ଅଟକାଇବା ସହିତ ତାଙ୍କ ସହିତ କଥା ହେବାଲାଗି ବାଧ୍ୟ କରିଥିଲେ । ପୀଡ଼ିତା ଜଣକ ବିରୋଧ କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ନାନାପ୍ରକାର ଧମକ ଦେଇଥିଲେ ଏବଂ ତାଙ୍କ ସାଇକେଲ କୁ ଭାଙ୍ଗି ସେଠାରେ ଫୋପାଡି ଦେଇଥିଲେ । ପୀଡ଼ିତା ଜଣକ ଘରକୁ ଫେରି ଅଭିଯୋଗକାରୀଙ୍କୁ ଏ ବିଷୟରେ ଜଣାଇବାରୁ ଅଭିଯୋଗକାରୀ ଘଟଣା ସ୍ଥଳକୁ ଯାଇ ନିମ୍ନୋକ୍ତ ଅଭିଯୁକ୍ତ ମାନେ ସେଠାରେ ଉପସ୍ଥିତ ଥିବା ଦେଖିଥିଲେ । ସେମାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ମାରଧର କରିଥିଲେ ଏବଂ ନାନାପ୍ରକାର ଧମକ ମଧ୍ୟ ଦେଇଥିଲେ । ଘଟଣାର ଅଭିଯୋଗ ପରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ତଦନ୍ତ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଘଟଣା ସ୍ଥଳରୁ ଦୁଇଟି ମୋଟରସାଇକେଲ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିବା କଥା ସ୍ୱୀକାର କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।