ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ କରିଡର୍କୁ ନେଇ ପୁରୀରୁ ଦିଲ୍ଲୀ ଯାଏଁ ଲମ୍ବିଛି ରାଜନୈତିକ ଝଡ଼ । ବିରୋଧୀ ବିଜେପି ଏବଂ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛନ୍ତି ଯେ, ବାହାବା ନେବା ଉଦ୍ଦେଶ୍ୟରେ କେବଳ ତାଳିପକା କାମ କରାନଯାଇ ସଠିକ୍ ଢଙ୍ଗରେ ପ୍ରକଳ୍ପ କରାଯାଉ । ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୩୦ଫୁଟର ଗାତ ଖୋଳା ଯାଉଥିବା ନେଇ ଏଯାଏ ବି ରାଜ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି ଯେ, ସେଠାରେ କି ପ୍ରକଳ୍ପ ଚାଲିଛି । ଯାହାକୁ ନେଇ ବିରୋଧୀ ବିଜେପି ବିଧାନସଭାଠୁ ଧରି ସଂସଦ ପର୍ଯ୍ୟନ୍ତ କଥା ଉଠାଇଛି ।
ତେବେ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିରକୁ ପଦଯାତ୍ରାରେ ଯାଇଥିବା ବେଳେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ, ଏହାର ଯାଞ୍ଚ ପାଇଁ ବିଧାସଭା ଗୃହ କମିଟି ଗଠନ ହୋଇଥିଲେ ଯେ, ଏଯାବତ୍ କମିଟି ମନ୍ଦିର ଆସି ପରିଦର୍ଶନ କଲା ନାହିଁ । ଏହାକୁ ଭିତ୍ତି କରି ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏବେ କେତେ ରାଜନୀତି ହେଉଛି ହୋଇଯାଉ । ରାଜନୀତି ଶେଷ ହେବା ପରେ ମୁଁ ନିଜେ କମିଟି ସହ ଯାଇ ଶ୍ରୀମନ୍ଦିର ପ୍ରକଳ୍ପ ଯାଞ୍ଚ କରିବି ଏବଂ ଫାଇନାଲ୍ ରିପୋର୍ଟ ଦେବି ବୋଲି କହିଛନ୍ତି । ଏବେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି ଏବଂ ରିପୋର୍ଟ ବି ନେଉଛି । ସ୍ଥିତି ଦେଖି ମୁଁ ପଦକ୍ଷେପ ନେବି ବୋଲି କହିଛନ୍ତି ।