ଭୁବନେଶ୍ୱର: ସାଧାରଣ ବଜେଟ୍ରୁ ଓଡ଼ିଶାକୁ କ’ଣ ମିଳିବ? ଢେର୍ ପୂର୍ବରୁ ରାଜ୍ୟର ୱିସ୍ ଲିଷ୍ଟ ଦାଖଲ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ରାଜପଥ, ପାନୀୟ ଜଳ ଓ ଅଧିକ କର୍ମନିଯୁକ୍ତି ଯୋଗାଇ ଦେବାକୁ ଦାବି କରାଯାଇଥିଲା । ଏହାଛଡ଼ା ରେଳ ବଜେଟ୍ରେ ରାଜ୍ୟଲାଗି ୭,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ସହ ୯୦:୧୦ ହାରରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ପାଇଁ ଦାବିରଖିଛି ରାଜ୍ୟ । ରାଜ୍ୟର ଏହିସବୁ ଦାବିକୁ କିଭଳି ପୂରଣ କରିବେ କେନ୍ଦ୍ର ସରକାର; ତା’ଉପରେ ରହିଛି ଆଖି । ଅର୍ଥନୀତି ବିଶାରଦଙ୍କ ମତ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓ ଆଦିବାସୀ ବହୁଳ ଓଡ଼ିଶା ପାଇଁ ଅଧିକ ବ୍ୟୟବରାଦ ଆବଶ୍ୟକ । କୋଭିଡ୍ ଯୋଗୁ ରାଜ୍ୟରେ ପ୍ରଭାବିତ ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦରକାର ।
ସେହିଭଳି ରାଜ୍ୟରେ ନୂଆ ଟେକ୍ସଟାଇଲ ପାର୍କ, ଆଲୁମିନିୟମ ୱାଗନ୍ କାରଖାନା ସ୍ଥାପନ ନେଇ ବଜେଟ୍ରେ ବ୍ୟବସ୍ଥା ରହିପାରେ ବୋଲି ଆଶା ରଖିଛନ୍ତି ଶିଳ୍ପ ବିଶେଷଜ୍ଞ । ଗତ ବଜେଟ୍ରେ ରାଜ୍ୟର ରେଲୱେକୁ ମିଳିଥିଲା ୬,୯୯୫ କୋଟି ଟଙ୍କା । ଏଥର ଓଡ଼ିଶାର ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ । ଏଣୁ ରାଜ୍ୟକୁ ରେଳ ବଜେଟ୍ରେ ଭଲ ଅନୁଦାନ ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ । ମୁଖ୍ୟତଃ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍ ସହ ବହୁ ଲୋକଙ୍କ ଆବେଗ ଜଡ଼ିତ ଥିବାରୁ ଏ ପ୍ରକଳ୍ପକୁ ବଜେଟ୍ରେ ନିଶ୍ଚିତ ଗୁରୁତ୍ୱ ଦିଆଯାଇଥିବା ବୋଲି ଆକଳନ କରାଯାଉଛି ।