ବ୍ୟୁରୋ : ଚନ୍ଦ୍ରପୃଷ୍ଠଠାରୁ ଆଉ ମାତ୍ର ୨୫ କିମି ଦୂରରେ ପରିକ୍ରମା କରୁଛି ଚାନ୍ଦ୍ରାୟଣ-୩ । ଏବେ ସାରା ଦୁନିଆର ନଜର ଭାରତର ଚନ୍ଦ୍ରଯାନ ଉପରେ । ଏହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ରହିଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ କରିବ କ’ଣ?ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର । ଏହାପରେ ଏଥିରେ ଥିବା ରୋବର ପ୍ରଜ୍ଞାନ ତୁରନ୍ତ କାମ କରିବା ଆରମ୍ଭ କରିବ । ଏହା ଚନ୍ଦ୍ରପୃଷ୍ଠରୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)କୁ ଡାଟା ପଠାଇବ । ଇସ୍ରୋର କଣ୍ଟ୍ରୋଲ ରୁମରେ ଡାଟାର ବିଶ୍ଳେଷଣ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବୈଜ୍ଞାନିକମାନଙ୍କର ଭିନ୍ନ ଭିନ୍ନ ଟିମ୍ ପ୍ରସ୍ତୁତ କରାଯାଇଛି ।ଇସ୍ରୋ ଏହି ଚେଷ୍ଟାରେ ରହିଛି ଯେ ଚନ୍ଦ୍ରଯାନ ଦ୍ୱାରା ପ୍ରେରିତ ଡାଟା ଯେପରି ସର୍ବପ୍ରଥମେ ଇସ୍ରୋ ଦ୍ୱାରା ହିଁ ପ୍ରକାଶ ପାଏ । କାରଣ ୨୦୦୮ରେ ଯାଇଥିବା ଚନ୍ଦ୍ରଯାନ-୧ ଦ୍ୱାରା ପଠାଯାଇଥିବା ଡାଟାକୁ ଡିକୋଡ୍ କରି ନାସା ପ୍ରଥମେ ଘୋଷଣା କରିଦେଇଥିଲା । କିନ୍ତୁ ଏଥର ଇସ୍ରୋ ଏହି ସୁଯୋଗ ଅନ୍ୟ କାହାରିକୁ ଦେବାକୁ ଚାହୁଁନି । ଇସ୍ରୋ ୱେବସାଇଟ୍ ଅନୁସାରେ ଲ୍ୟାଣ୍ଡିଙ୍ଗ ପରେ ପ୍ରଜ୍ଞାନ ରୋବର ଚନ୍ଦ୍ର ପୃଷ୍ଠରେ ୧୪ ଦିନ ଯାଏଁ ବୁଲିବ ଏବଂ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ଏଥିରେ ସଂଲଗ୍ନ ହୋଇଛି ଦୁଇଟି ମୁଖ୍ୟ ଉପକରଣ । ପ୍ରଥମତଃ ଆଲ୍ଫା ପାର୍ଟିକିଲ ଏକ୍ସରେ ସ୍ପେକ୍ଟୋମିଟର (ଏପିଏକ୍ସଏସ )ଚନ୍ଦ୍ରରେ ରାସାୟନିକ ବିଶ୍ଳେଷଣ କରିବ । ସେହିପରି ଦ୍ୱିତୀୟ ଲେଜର ଇଣ୍ଡ୍ୟୁଷ୍ଟ ସ୍ପେକ୍ଟୋସ୍କୋପ୍ (ଏଲଆଇବିଏସ ) ଚନ୍ଦ୍ରପୃ୍ଷ୍ଠରେ କୌଣସି ଧାତୁକୁ ଖୋଜିବା ସହ ତା’ର ଚିହ୍ନଟ କରିବ । ଇସ୍ରୋ ବୈଜ୍ଞାନିକଙ୍କ କହିବା ମୁତାବକ, ଏହି ୨ଟି ଉପକରଣର ଟେକ୍ନୋଲୋଜି ଅଲଗା ଅଲଗା ହୋଇଥିଲେ ବି କାମ କିନ୍ତୁ ପାଖାପାଖି ଏକାଭଳି ।ସୂଚନା ମୁତାବକ, ୨୦୦୮ରେ ଯେବେ ଚନ୍ଦ୍ରଯାନ-୧ ତଥ୍ୟ ପଠାଇଥିଲା । ସେତେବେଳେ ଏହାକୁ ଆଧାର କରି ପ୍ରଥମେ ନାସା ଚନ୍ଦ୍ରପୃଷ୍ଠରେ ବରଫର ଉପସ୍ଥିତି ବାବଦରେ ଘୋଷଣା କରିଥିଲା । କିନ୍ତୁ ଏଥର ଚନ୍ଦ୍ରଯାନ ୩ ସହ ଏଭଳି ହେବ ନାହିଁ । କାରଣ ଏଥର ଚନ୍ଦ୍ରଯାନ୩ରେ କୌଣସି ବିଦେଶୀ ଉପକରଣ ବା ଟେକ୍ନୋଲୋଜି ବ୍ୟବାହାର କରାଯାଇନାହିଁ ।ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଆଜିଯାଏଁ ଏହି ସ୍ଥାନରେ କୌଣସି ଦେଶର ପହଞ୍ଚିପାରିନାହିଁ । ଏହି କ୍ଷେତ୍ରରେ ବିଶାଳ ଗହ୍ୱର ସବୁ ରହିଛି । ଯେଉଁଠାରେ ସୂର୍ଯ୍ୟକିରଣ କେବେବି ପଡେନାହିଁ । ତେଣୁ ଏଠାରୁ କିଛି ନୂଆ ତଥ୍ୟା ମିଳିବାର ସମ୍ଭାବନା ଅନେକ ରହିଛି । ତେଣୁ ଏଭଳି ଏକ ବିରଳ ଅବତରଣ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।