19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ରାଜନୈତିକ ହିଂସା ମାମଲା : ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ

ପଶ୍ଚିମବଙ୍ଗ ରାଜନୈତିକ ହିଂସା ମାମଲା : ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ

କୋଲକାତା : ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ରାମପୁରହାଟ୍‌ରେ ଗତ ମଙ୍ଗଳବାର ଘଟିଥିବା ଲୋମହର୍ଷଣକାରୀ ରାଜନୈତିକ ହିଂସାରେ ଦୁର୍ବୃତ୍ତମାନେ ୧୨ ବଖରା ଘର ଜାଳି ଦେଇଥିବାବେଳେ ୮ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ବର୍ତ୍ତମାନ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଥିବାବେଳେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ବିଜେପି ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି । ଏଭଳି ଏକ ସ୍ପର୍ଶକାତର ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ନିଜ ତରଫରୁ ମାମଲାର ଶୁଣାଣି କରି ତଦନ୍ତ କରିବ ବୋଲି ଜଣାପଡିଛି । ଖୁବଶୀଘ୍ର ଏନ୍‌ଏଚ୍‌ଆରସି ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟ ହାସଲ କରିବ ବୋଲି ଏନ୍‌ଏଚ୍‌ଆରସି ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାମପୁରହାଟ ପରିଦର୍ଶନ କରିବା ସହ ୮ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।

ମମତା ଏହି ଘଟଣାରେ ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଏହି ଘଟଣାରେ ପିଲାଙ୍କୁ ହରାଇଥିବା ୨ଟି ପରିବାରକୁ ଅତିରିକ୍ତ ୫୦ ହଜାର ଟଙ୍କା ମଧ୍ୟ ଦିଆଯିବ । ଯେଉଁମାନଙ୍କ ଘର ଭସ୍ମୀଭୂତ ହୋଇଯାଇଛି, ସେମାନଙ୍କୁ ପରିବାର ପିଛା ଆଉ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ ବୋଲି ମମତା କହିଛନ୍ତି । ଏହି ଟଙ୍କାରେ ସେମାନେ ନୂଆ ଘର ତିଆରି କରିବେ । ଏହାବ୍ୟତୀତ ପ୍ରତ୍ୟେକ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଅପରପକ୍ଷରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ରାମପୁରହାଟ ଥାନା ଆଇଆଇସି ତ୍ରିଦିପ୍ ପରମାଣିକଙ୍କୁ ନିଲମ୍ବନ କରାଯାଇଛି ।

କୋଲକାତା ହାଇକୋର୍ଟ ବୁଧବାର ମାମଲାର ସ୍ୱମୋତୋ ଶୁଣାଣି କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି । ପଶ୍ଚିମବଙ୍ଗ ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କୁ ଗିରଫ କରିସାରିଛି । ତେବେ ମୁଖ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଫେରାର ଥିବାରୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମମତା ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତାହତଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ପରୋକ୍ଷରେ ଟିଏମ୍‌ସିକୁ ଟାର୍ଗେଟ କରିଛନ୍ତିି । ରାଜ୍ୟ ସରକାର କୌଣସି ପରିସ୍ଥିତିରେ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଅନୁଚିତ ବୋଲି ମୋଦୀ କହିଛନ୍ତି । ସୂଚନାଯୋଗ୍ୟ ଗତ ମଙ୍ଗଳବାର ଜଣେ ଟିଏମ୍‌ସି ନେତା ଭାଦୁ ଶେଖ୍‌ଙ୍କ ମୃତଦେହ ଉକ୍ତ ଗ୍ରାମରୁ ମିଳିବାପରେ ସେଠାରେ ରାଜନୈତିକ ହିଂସା ଉପୁଜିଥିଲା । ଦୁର୍ବୃତ୍ତମାନେ ୧୨ ବଖରା ଜାଳିଦେଇଥିବାବେଳେ ୮ ଜଣଙ୍କର ପ୍ରାଣହାନି ଘଟିଛି ଏବଂ ଗୁରୁତର ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking