28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ରାଜନୈତିକ ହିଂସା: ସିବିଆଇ ପକ୍ଷରୁ ୨୧ ଜଣଙ୍କ ବିରୋଧରେ ଏତଲା

ପଶ୍ଚିମବଙ୍ଗ ରାଜନୈତିକ ହିଂସା: ସିବିଆଇ ପକ୍ଷରୁ ୨୧ ଜଣଙ୍କ ବିରୋଧରେ ଏତଲା

କୋଲକାତା: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଘଟିଥିବା ରାଜନୈତିକ ହିଂସା ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ସିବିଆଇ ଦଳ ଶନିବାର ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ମୋଟ ୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଭାଦୁ ଶେଖ୍‌ଙ୍କ ହତ୍ୟାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏଭଳି ଜଳାପୋଡା ଘଟଣାରେ ୮ ଜଣଙ୍କୁ ନୃଶଂସଭାବେ ପୋଡି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସିବିଆଇ ପକ୍ଷରୁ କୁହାଯାଇଛି।

ଭାଦୁ ଶେଖ୍ ହତ୍ୟାରେ ପ୍ରତିଶୋଧ ପରାୟଣ ହୋଇ ଗତ ମଙ୍ଗଳବାର ପ୍ରାୟ ୭୦ରୁ ୮୦ ଲୋକ ରାମପୁରହାଟ୍ ଥାନା ଅନ୍ତର୍ଗତ ବୋଗ୍‌ତୁଇ ଗ୍ରାମରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ୧୨ ବଖରା ଘର ଜାଳିଦେଇଥିବା ପ୍ରସଙ୍ଗକୁ ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି । ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨, ୩୨୬, ୪୩୫, ୪୩୬ ଓ ୪୪୯ ଅନୁଯାୟୀ ୨୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଏହାବ୍ୟତୀତ ସିବିଆଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ଦିଲ୍ଲୀରୁ ସେଣ୍ଟ୍ରାଲ ଫୋରେନ୍‌ସିକ୍ ଲାବୋରୋଟେରିର ଏକ ଦଳ ଇତିମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ନୁମନା ସଂଗ୍ରହ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ସିବିଆଇ ତଦନ୍ତକୁ ପ୍ରତିବାଦ କରି ରାଜ୍ୟ ସରକାର ଯେଉଁ ପିଟିସନ ଦାଏର କରିଥିଲେ, ହାଇକୋର୍ଟ ତାହାକୁ ଖାରଜ କରିଦେଇଛନ୍ତି । ବୀରଭୂମ୍ ନରସଂହାର ସମାଜର ସମସ୍ତ ମାନବୀୟ ଚିନ୍ତାଧାରାକୁ ଛିନ୍‌ଛତ୍ର କରିଥିବାରୁ କେବଳ ସିବିଆଇ ତଦନ୍ତ ଏକାନ୍ତ ଜରୁରୀ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ଓ ଜଷ୍ଟିସ ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ଶୁକ୍ରବାର ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟରେ ଆହୁରି କହିଛନ୍ତି ଯେ ଆଇନର ସ୍ୱାର୍ଥରକ୍ଷା, ଲୋକଙ୍କ ମନରେ ଥିବା ବିଶ୍ୱାସକୁ ସୁଦୃଢ କରିବା ଏବଂ ସ୍ୱଚ୍ଛ, ନିରପେକ୍ଷ ତଦନ୍ତ ଜରିଆରେ ସତ୍ୟକୁ ସାମନାକୁ ଆଣିବା ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପୁନଶ୍ଚ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟିର କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ଶୁକ୍ରବାର ମତବ୍ୟକ୍ତ କରିଥିଲେ। ପୂର୍ବରୁ ରାଜ୍ୟ ସରକାର ଏଭଳି କେତେକ ସ୍ପର୍ଶକାତର ଘଟଣାରେ ଏସ୍‌ଆଇଟି ଗଠନ କରିଥିଲେ ସୁଦ୍ଧା ଏହା ପ୍ରକୃତ ସତ୍ୟକୁ ଉନ୍ମୋଚନ କରିପାରିନାହିଁ । ତେଣୁ ସିବିଆଇ ଉପରେ ତଦନ୍ତଭାର ନ୍ୟସ୍ତ କରାଗଲେ, ସତ ଉନ୍ମୋଚିତ ହେବ ବୋଲି ଖଣ୍ଡପୀଠ ହୃଦୟଙ୍ଗମ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking