18.1 C
Bhubaneswar
Friday, November 22, 2024
Homeଖେଳଏଏଫ୍‌ଆଇ ଓ ହକି ଖେଳାଳିଙ୍କ ସ୍ୱାଗତ

ଏଏଫ୍‌ଆଇ ଓ ହକି ଖେଳାଳିଙ୍କ ସ୍ୱାଗତ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସର ଊନବିଂଶ ସଂସ୍କରଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ଘଟଣା ଅନେକ କ୍ରୀଡ଼ାବିତ୍‌ଙ୍କୁ ନାଖୁସ୍ କରିଥିଲେ ହେଁ ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ଓ ଭାରତୀୟ ହକି ଟିମ୍‌ର ସଦସ୍ୟଙ୍କ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି । ଏହାଦ୍ୱାରା ଖେଳାଳିମାନଙ୍କୁ ପ୍ରସ୍ତୁତି କରିବା ସକାଶେ ଅତିରିକ୍ତ ସମୟ ମିଳିବ ବୋଲି ହକି ଖେଳାଳିମାନେ ମତ ଦେଇଛନ୍ତି । ଏନେଇ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ଗୋଲକିପର୍ ପିଆର୍ ଶ୍ରୀଜେଶ୍ କହିଛନ୍ତି ଯେ ଏପରି ଘୋଷଣାନାମାରେ ସେମାନେ ଆଦୌ ଅସନ୍ତୁଷ୍ଟ ନୁହନ୍ତି । ବିଶେଷକରି ଚୀନ୍‌ରେ କୋଭିଡ୍‌ଜନିତ ପ୍ରତିକୂଳ ପରିସ୍ଥିତିରେ ଏହା ସ୍ୱାଗତଯୋଗ୍ୟ ନିଷ୍ପତ୍ତି । କିନ୍ତୁ ଆମକୁ ଏହାର ଫାଇଦା ମିଳିପାରିବ । କାରଣ ଏସିଆନ୍ ଗେମ୍ସ ସକାଶେ ପ୍ରସ୍ତୁତି କରିବାକୁ ଆମକୁ ଅତିରିକ୍ତ ସମୟ ମିଳିବ । ବିଗତ ଦିନରେ ଆମେ ଟୋକିଓ ଅଲିମ୍ପିକ୍ସ ପରି ପ୍ରମୁଖ କ୍ରୀଡ଼ା ଇଭେଣ୍ଟ୍ ସ୍ଥଗିତ ହେବାର ଅନୁଭୂତି ହାସଲ କରିସାରିଛୁ ।

ତେଣୁ ଏପରି ସ୍ଥିତି ସହ ଖାପ ଖୁଆଇବାରେ ଆମେ ଅଭ୍ୟସ୍ତ ହୋଇସାରିଥିବା ଶ୍ରୀଜେଶ୍ କହିଛନ୍ତି । ସେହିପରି ଏଏଫ୍‌ଆଇ ପକ୍ଷରୁ ସଭାପତି ଆଦିଲ୍ ସୁମାରିୱାଲା କହିଛନ୍ତି ଯେ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ପରି ଇଭେଣ୍ଟ୍ ରହିଥିବାରୁ ଏସିଆନ୍ ଗେମ୍ସ ପାଇଁ ପ୍ରସ୍ତୁତି ଆଥଲେଟ୍‌ଙ୍କ ପାଇଁ ଚିନ୍ତାର ବିଷୟ ଥିଲା । କାରଣ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟ୍ ପାଇଁ ପ୍ରସ୍ତୁତି କୌଣସି ଆଥଲେଟ୍ ପକ୍ଷରେ କଦାପି ସହଜସାଧ୍ୟ ହୋଇ ନ ଥାଏ । ପ୍ରତିଟି ଇଭେଣ୍ଟ୍‌ରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ ଉପରେ ଯଥେଷ୍ଟ ଚାପ ଥିଲା । କିନ୍ତୁ ଏବେ ସେମାନଙ୍କ ଉପରୁ ଏହି ଚାପ ହ୍ରାସ ପାଇବ ବୋଲି ସୁମାରିୱାଲା କହିଛନ୍ତି । ଅବଶ୍ୟ କେତେକ ବୟସ୍କ ଆଥଲେଟ୍‌ଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ବୋଲି ସେ ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ ୧୫ରୁ ୨୪ ପର୍ଯ୍ୟନ୍ତ ଆମେରିକାର ଇଉଗେନ୍‌ଠାରେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଓ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବର୍ମିଂହାମ୍‌ଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking