ନୂଆଦିଲ୍ଲୀ : ମହାରାଷ୍ଟ୍ର, ଗୁଜୁରାଟ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ପରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଗୁଜରାଟରେ ଏପର୍ୟ୍ୟନ୍ତ ୬୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଜୁଲାଇ ୧୦ ପର୍ୟ୍ୟନ୍ତ ୮୩ କୁ ବୃଦ୍ଧି ପାଇଛି। କେବଳ ଏହି ଦୁଇଟି ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ୧୪୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ମୈାସୁମୀ ପ୍ରବେଶ ପରଠାରୁ ଏହି ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହୋଇଆସୁଛି, ଯେଉଁଥିପାଇଁ କେତେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଲୋକଙ୍କ ଜୀବନ ବିଚଳିତ ହୋଇଥିଲା । ଜାତୀୟ ରାଜଧାନୀ ଦିଲ୍ଲୀ ରେ ସୋମବାର ଅପରାହ୍ନରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ଲୋକମାନେ ମୈାସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି।
ଗୁଜୁରାଟ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସ୍କୁଲ ଓ କଲେଜ ବନ୍ଦ ରହିଛି। ଆଜି ନାଶିକରେ ୧ ରୁ ୧୨ ଶ୍ରେଣୀର ସମସ୍ତ ବିଦ୍ୟାଳୟ ବନ୍ଦ ଅଛି । ଲଗାତାର ବର୍ଷା ଏବଂ ରେଡ ଆଲର୍ଟ ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଗୁଜୁରାଟର ଭାଲସାଦରେ ସ୍କୁଲ ଏବଂ କଲେଜଗୁଡ଼ିକ ମଧ୍ୟ ବନ୍ଦ ରହିବ।
ପ୍ରବଳ ବର୍ଷା ଯୋଗୁଁ ଗୁଜରାଟର ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ଗୁଜୁରାଟର ଭାରୁଚ, ନର୍ମଦା, ସୁରଟ, ଛୋଟା ଉଦୟପୁର, ଭାଲସାଦ, ତାପୀ, ନଭସାରୀରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଏହା ବ୍ୟତୀତ ସୈାରାଷ୍ଟ୍ରର କୁଚ୍, ଦ୍ୱାରକା, ଜାମନଗର, ମୋର୍ବି ଏବଂ ରାଜକୋଟ ହାଇ ଆଲର୍ଟରେ ଅଛନ୍ତି।
ମହାରାଷ୍ଟ୍ରର ପାଲଘର, ନାଶିକ୍, ପୁଣେ ସମେତ ଚାରିଟି ଜିଲ୍ଲାରେ ୧୪ ପର୍ୟ୍ୟନ୍ତ ରେଡ୍ ଆଲର୍ଟ ଜାରି କରାଯାଇଛି। ରାୟଗଡ ଜିଲ୍ଲା ଆଜି ଏବଂ ୧୩ ରେ ରେଡ ଆଲର୍ଟ ଥିବାବେଳେ ରତ୍ନାଗିରି ଏବଂ କୋଲହାପୁରରେ ମଧ୍ୟ ଆଜିକୁ ରେଡ ଆଲର୍ଟ ରହିଛି। ଏହା ବ୍ୟତୀତ ଆଗାମୀ ତିନି ଦିନ ମୁମ୍ବାଇରେ ଅରେଂଜ ଆଲର୍ଟ ଜାରି ରହିଛି।