ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୧ ଜିଲ୍ଲାର ୧୩୬ ବ୍ଲକ ଅନ୍ତର୍ଗତ ୧୮୮୯ଟି ଗାଁ ଓ ୨୬ଟି ପୌରାଞ୍ଚଳର ୧୦୧ଟି ୱାର୍ଡର ୪ ଲକ୍ଷ ୧୧ ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି । ୫୧,୬୭୮ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗୋଟିଏ ଲେଖାଏଁ ଘାଇ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀରେ ଗୋଟିଏ ଓ କାଣୀ ନଦୀରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ଏବେ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ ଜିଲ୍ଲାରେ ୧୩ ଓଡ୍ରାଫ, ୮ ଏନଡିଆରଏଫ ଓ ୮୫ ଅଗ୍ନିଶମ ଟିମ୍କୁ ମୁତୟନ କରିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟର ୩ ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁରରେ ୫ ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବନ୍ଧଡ଼ିହାଠାରେ ବ୍ରାହ୍ମଣୀ ନଦୀରେ ୧୦ମିଟର ଘାଇ ହୋଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗାଁ ନିକଟରେ କାଣୀ ନଦୀରେ ୨ମିଟର ଓ ୫ମିଟରର ଘାଇ ହୋଇଥିବା ଜଣାପଡ଼ିଛି । ଏସବୁ ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ବର୍ଷା କମିଛି ଓ ହାରାହାରି ୩.୧ ମିମି ବର୍ଷା ରେକର୍ଡ କରାଯାଇଛି । ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।
ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ଫୁଟ୍ ଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୯୨ହଜାର ୯୧୧କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୫୬ହଜାର ୬୭୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଖଇରମାଳଠାରେ ୨.୮୨ଲକ୍ଷ କ୍ୟୁସେକ, ବରମୂଳଠାରେ ୪.୨୦ଲକ୍ଷ କ୍ୟୁସେକ ଓ ମୁଣ୍ଡଳୀଠାରେ ୬.୨୦ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ କଟକରର ନରାଜଠାରେ ମହାନଦୀର ଜଳସ୍ତର ୨୫.୭୨ଫୁଟ ଥିବାବେଳେ ଏଠାରେ ବିପଦ ସଙ୍କେତ ୨୫.୪୧ଫୁଟ ରହିଛି । ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୩୩ ଫୁଟ ଥିବା ବେଳେ ବୈତରଣୀର ଜଳସ୍ତର ୧୭.୯୪ ଫୁଟରେ ପ୍ରବାହିତ ହେଉଛି । ଅନ୍ୟ କୌଣସି ସ୍ଥାନରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିନି ।
ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ ବ୍ଲକର ୨୬୯ ପଞ୍ଚାୟତର ୪୭୩ ଗାଁ ଏବଂ ୧୪ ପୌରାଞ୍ଚଳର ୫୬ ୱାର୍ଡ ପ୍ରଭାବିତ ହୋଇଛି । ପ୍ରାୟ ୨୮୦୪ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୨୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୭୩୯ଟି ଘର ନଷ୍ଟ ହେବା ସହ ୧୧୭୦୮ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୫୭ଟି ବ୍ଲକର ୩୯୮ଟି ପଞ୍ଚାୟତର ୧୪୧୬ଟି ଗାଁ ଏବଂ ୧୨ଟି ପୌରାଞ୍ଚଳର ୪୫ଟି ୱାର୍ଡର ମୋଟ ୩ ଲକ୍ଷ ୯୯ ହଜାର ୬୩୦ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୮୮୭୪ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୦୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୧ଟି ଜିଲ୍ଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି ।