ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ଏହାର ପ୍ରଭାବରେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅର୍ଥାତ ୨୮ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ , ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।
ତେବେ ୨୯ ତାରିଖରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩୦ ତାରିଖରେ ମଧ୍ୟ କିିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଶନିବାର ଅପରାହ୍ନରେ କଟକ ଓ ଭୁବନେଶ୍ୱରରେ ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ଆଶିଂକ ମେଘୁଆ ରହିବା ସହ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ହାଲୁକା ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାରେ କୁହାଯାଇଛି । ଗତ ଜୁନ ୧ରୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ୯୭୧.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଏଠାରେ ସ୍ୱାଭାବିକ ଠାରୁ ୬୦% ଅଧିକ ବର୍ଷା ହୋଇଛି । ମୋଟ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୨୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।