18.1 C
Bhubaneswar
Monday, November 25, 2024
Homeଓଡିଶାଜୁନ୍‌ରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା

ଜୁନ୍‌ରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା

ଭୁବନେଶ୍ୱର: ସାରା ଦେଶରେ ଜୁନ ମାସରେ ଭଲ ବର୍ଷା ହେବ । ଓଡ଼ିଶାରେ ଜୁନ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷତଃ ପଶ୍ଚିମ, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ କିମ୍ବା ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ । ସେହିପରି ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକର ଦକ୍ଷିଣ ଭାଗରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି ଯେ ରାଜ୍ୟରେ ପ୍ରାକ-ମୌସୁମୀ ଋତୁରେ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ୯୦.୭ ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ଠାରୁ ୨୯% କମ ରହିଛି । ୧୭ ଜିଲ୍ଲାରେ ନିଅଣ୍ଟିଆ (୨୦% ରୁ ୫୯% କମ୍‌) ଏବଂ ୭ ଜିଲ୍ଲାରେ ସ୍ୱାଭାବିକ (୧୯% କମ/ବେଶୀ ପରିଧି ମଧ୍ୟରେ) ବର୍ଷା ରେକର୍ଡ ହୋଇଛି ।

କୋରାପୁଟ ଏବଂ ଦେବଗଡ଼ରେ ସ୍ୱାଭାବିକ ଠାରୁ ୨୦% ରୁ ୫୯% ଅଧିକ ବର୍ଷା ହୋଇଛି । ସେହିପରି ବାଲେଶ୍ୱର, ଜଗତସିଂହପୁର, ସୋନପୁର ଏବଂ ବଲାଙ୍ଗୀରରେ ଅତି-ନିଅଣ୍ଟିଆ ବର୍ଷା ୬୦% କିମ୍ବା ଆହୁରି କମ୍ ବର୍ଷା ହୋଇଛି । ଯାହା ଚାଷୀଙ୍କ ପାଇଁ ଭଲ ସୂଚନା । କାରଣ ପ୍ରାକ୍‌-ମୌସୁମୀ ଋତୁରେ କମ୍ ବର୍ଷା ହେଲେ ଚାଷ ଜମିରେ ଘାସ କମ୍ ଉଠିଥାଏ । ତେଣୁ ଚାଷ କାର୍ଯ୍ୟ ଭଲ ଭବେ ଆଗେଇ ଥାଏ ବୋଲି ଶ୍ରୀ ଦାଶ କହିଛନ୍ତି । ସେହିପରି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ବାୟୁ ସାଧାରଣତଃ ଓଡ଼ିଶାରେ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ପ୍ରବେଶ କରିଥାଏ । ଏବେ ମୌସୁମୀ ବାୟୁ କେରଳର ସମସ୍ତ ଅଞ୍ଚଳରେ ପହଞ୍ଚି ସାରିଥିବା ବେଳେ କର୍ଣ୍ଣାଟକର କିଛି ଅଞ୍ଚଳ ଓ ତାମିଲନାଡୁର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରି ସାରିଛି ।

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ମଧ୍ୟରେ ପ୍ରବେଶ କରିବ । ସେହିପରି କର୍ଣ୍ଣାଟକର ଅଧିକାଂଶ ଅଂଶ ଓ ତାମିଲନାଡୁର ସଂପୂର୍ଣ୍ଣ ଭାଗକୁ ୨/୩ ଦିନ ମଧ୍ୟରେ ଏହା ଅଗ୍ରସର ହେବ । ତା’ପରେ ଯାଇ ମୌସୁମୀ ବାୟୁ ପୂର୍ବ ଓ କେନ୍ଦ୍ର ଭାରତରେ ପ୍ରବେଶ କରିବାକୁ ପାଗ ଅନୁକୂଳ ରହିବ । ଆମେ ସ୍ଥିତି ଉପରେ ଦୃଷ୍ଟି ରଖିଛୁ । ଯେତେବେଳେ ଓଡ଼ିଶା ପାଇଁ ମୌସୁମୀ ବାୟୁ ପ୍ରବେଶ କରିବାକୁ ଅନୁକୂଳ ସ୍ଥିତି ସୃଷ୍ଟି ହେବ, ତା’ପରେ ପୂର୍ବାନୁମାନ କରାଯିବ । ସେ କହିଛନ୍ତି ଯେ, ଦେଶରେ ଜୁନରୁ ସେପ୍ଟେମ୍ବର ଯାଏ ଦୀର୍ଘ ମିଆଦୀ ସମୟ(ଏଲପିଏ) ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ। ତେବେ ଆକଳନ ଅନୁସାରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୩% ବର୍ଷା ଅର୍ଥାତ ୪% କମ୍ କିମ୍ବା ବେଶୀ ବର୍ଷା ହୋଇପାରେ । କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ପେନୁନ୍‌ସୁଲାରେ ସ୍ୱାଭାବକି ଠାରୁ ଅଧିକ(୧୦୬% ଏଲପିଏ) ବର୍ଷା ହୋଇପାରେ ।

ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକ (୯୬-୧୦୬% ଏଲପିଏ) ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨-୧୦୮% ଏଲପିଏ) ଅର୍ଥାତ ସ୍ୱାଭାବିକ ବର୍ଷା ହୋଇପାରେ । ଅନ୍ୟପକ୍ଷରେ ପୂରା ମୌସୁମୀ ଋତୁରେ ଅର୍ଥାତ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି । ମୌସୁମୀ ଋତୁରେ ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଆଉ କିଛି ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ । ଜୁଲାଇ ମାସରେ ଓଡ଼ିଶାରେ କେତେ ବର୍ଷା ହେବ, ତା’ର ଆକଳନ ଜୁନ୍ ମାସ ଶେଷ ଆଡ଼କୁ କରାଯିବ ।

ସେହିପରି ଅଗଷ୍ଟ ମାସରେ କେତେ ବର୍ଷା ହେବ, ତା’ର ପୂର୍ବାନୁମାନ ଜୁଲାଇ ମାସ ଶେଷ ଆଡ଼କୁ କରାଯିବ ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୨୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡ଼ିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking