ଭୁବନେଶ୍ୱର : ଉତ୍ତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଆସନ୍ତା ୨ଦିନ ପରେ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼ିବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସୃଷ୍ଟି ହେବା ସହ କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସରୁ ୪୭ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଉପକୂଳ ଅଞ୍ଚଳରେ ମଧ୍ୟ ଜୁନ ପ୍ରଥମ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିପାରେ ।
ପବନର ଦିଗ ଅକସ୍ମାତ ବଦଳିବା ସହ ବାୟୁରେ ଆର୍ଦ୍ରତାର ପରିମାଣ ଠିକ୍ ମାତ୍ରାରେ ନଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହ୍ରାସ ପାଇଛି । ମାତ୍ର ଅପର ଏୟାରଟ୍ରଫ୍ର ଉପସ୍ଥିତି ଯୋଗୁଁ କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ସେହିପରି ଜୁନ୍ ୩ କିମ୍ବା ୪ ତାରିଖ ବେଳକୁ ରାଜ୍ୟରେ ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ଂ ବା ତା’ଠାରୁ ଅଧିକ ରହିପାରେ । ଏପରିକି ଭୁବନେଶ୍ୱରରେ ମଧ୍ୟ ଏହା ୪୪ଂ ରୁ କମିବା ସମ୍ଭାବାନ କମ୍ । ସବୁ ସ୍ଥାନରେ ଗୁଳୁଗୁଳି ବହୁ ଅଧିକ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । କେରଳରେ ଗତକିଛି ଦିନ ହେଲା ସ୍ୱଳ୍ପ ବର୍ଷା ହେଉଛି ।
୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଥିରୁବନ୍ତପୁରମ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା କମିବ । ବର୍ତ୍ତମାନ କେରଳ ଉପକୂଳରେ ସମୁଦ୍ର କଡ଼େ କଡ଼େ ଅଧିକ ବର୍ଷା ହେଉଛି । ସ୍ଥଳଭାଗ ମଧ୍ୟକୁ ମୌସୁମୀ ବର୍ଷା ଆସିପାରୁନାହିଁ । ସାମୟିକ ଭାବେ ଆସନ୍ତା ୩୧ ଓ ଜୁନ୍ ୧ରେ ଉପକୂଳରେ ବର୍ଷା ବଢିବ ଏବଂ ତାପରେ ପୁଣି କମିଯିବ । ଏଣୁ ପ୍ରାଥମିକ ଅବସ୍ଥାରେ ଅର୍ଥାତ୍ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭାରୀ ମୌସୁମୀ ବର୍ଷା ହେବାର ସମ୍ଭାବନା ନାହିଁ । ଏହା ଦୁର୍ବଳ ରହିବ । ପୂର୍ବ ବଙ୍ଗୋପସାଗରରେ ମୌସୁମୀ ଗତ ୧୦ ଦିନ ହେଲା ସକ୍ରିୟ ରହଛି । ଏହା ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଫଳରେ ମିଆଁମାର, ଥାଇଲାଣ୍ଡ ସମେତ ଉତ୍ତର-ପୂର୍ବ ଭାରତରେ ଭଲ ବର୍ଷା ଜାରି ରହିବ । ବିଶ୍ଳେଷଣରୁ ଜଣାପଡିଛି ଯେ ରାଜ୍ୟକୁ ମୌସୁମୀ ବର୍ଷା ଜୁନ୍ ୧୦ ଆଗରୁ ଆରମ୍ଭ ହେବା ସମ୍ଭାବନା କମ୍ ।
ହୁଏତ କିଛି ସମୟ ବିଳମ୍ବ ହୋଇପାରେ । କେରଳରେ ମୌସୁମୀ ସକ୍ରିୟ ହେଲେ ଅଧିକ ସଠିକ୍ କହିହେବ । ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତେବେ ବର୍ତ୍ତମାନର ଆକଳନ ବଦଳିବ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଲଘୁଚାପର ସୃଷ୍ଟିର ସଂକେତ ମିଳୁନାହିଁ ।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୭ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୧ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକମାନଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲେଶ୍ୱର, ଭଦ୍ରକ, ଯାଜପୁର, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡ଼ିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଆଂଶିକ ମେଘୁଆ ରହିବ ।
ଅନ୍ୟପକ୍ଷରେ ଆସନ୍ତା ୨ ଦିନ ମଧ୍ୟରେ ଓଡିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ । ଗୁରୁବାର ରାଜ୍ୟରେ ୮ଟି ସହରର ତାପମାତ୍ରା ୪୦ଂ ଉପରେ ରହିଥିଲା । ସେଥିରୁ ବୌଦ୍ଧର ତାପମାତ୍ରା ସର୍ବାଧିକ ୪୨.୫ଂ ରହିଥିବା ବେଳେ ସୋନପୁର ୪୨.୪ଂ, ଟିଟିଲାଗଡ ୪୧.୮ଂ, ବଲାଙ୍ଗୀର ୪୧.୨ଂ, ନୂଆପଡା ୪୧ଂ, ସମ୍ବଲପୁର ୪୦.୨ଂ, ମାଲକାନଗିରି ୪୦.୨ଂ, ପାରଳାଖେମୁଣ୍ଡି ୪୦ଂ ରହିଥିଲା । ସେହିପରି ଭୁବନେଶ୍ୱର ତାପମାତ୍ରା ୩୭ଂ ଏବଂ କଟକରେ ୩୮ଂ ରେକର୍ଡ କରାଯାଇଛି ।