18.1 C
Bhubaneswar
Saturday, November 23, 2024
Homeଓଡିଶାଆଜି ୧୯ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଚେତାବନୀ

ଆଜି ୧୯ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଚେତାବନୀ

ଭୁବନେଶ୍ୱର : ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶେଷଜ୍ଞ ଏଚ୍ ସି ବିଶ୍ୱାସଙ୍କ ସୂଚନା ମୂତାବକ, ଆସନ୍ତା କିଛି ଦିନ ଓଡ଼ିଶାର ସମସ୍ତ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ବର୍ଷା ଥିବାବେଳେ କିଛି ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ଉତ୍ତର ଉପକୂଳ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏବେସୁଦ୍ଧା ଓଡ଼ିଶାରେ ମୋଟ ୩୪୬.୩ ମିମି ବର୍ଷା ରେକର୍ଡ ହୋଇଛି । ସମ୍ବଲପୁରରେ ୧୧୪.୬ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଏହି ସ୍ଥିତିରେ ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲୋପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏହି ବର୍ଷା ଖରିଫ ଧାନ ରୋଇବାରେ ସହାୟକ ହେବ । ଏହାସହ ପ୍ରବଳ ବର୍ଷା ଥିବା ଜିଲ୍ଲା ଗୁଡିକର ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ହେବାର ସମ୍ଭାବନା ରହିଥିବା ଶ୍ରୀ ବିଶ୍ୱାସ କହିଛନ୍ତି ।

ବଙ୍ଗୋପସାଗରରେ ଲଗାତର ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅଛି । ଗୁରୁବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇଦିଆଯାଇଛି । ସ୍କାଏମେଟ୍ ରିପୋର୍ଟ ମୁତାବକ ଏହି ଲଘୁଚାପ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ । ଫଳରେ ଏସବୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।

ତେବେ ୨୭ ତାରିଖ ବେଳକୁ ରାଜସ୍ଥାନ ପହଞ୍ଚିବାବେଳକୁ ଏହି ଲଘୁଚାପ ଦୁର୍ବଳ ହୋଇଯାଇଥିବ । ହେଲେ ଜୁଲାଇ ଶେଷ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ସଂସ୍ଥାନ ପୂର୍ବାନୁମାନ କରିଛି । ଜୁଲାଇ ୨୮ ତାରିଖ ବେଳକୁ ବାଂଲାଦେଶ ଏବଂ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଆଡକୁ ମୁହାଁଇବ । ଏହାର ପ୍ରଭାବ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରଭାବରେ ଜୁଲାଇ ୨୮ ତାରିଖ ଅପରାହ୍ଣରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ ଓ ଯାଜପୁର ପ୍ରଭୃତି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking