ଭୁବନେଶ୍ୱର: ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ପଶ୍ଚିମା ଝଡ଼ ସକାଶେ ରାଜ୍ୟରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ବିଶେଷ କରି ଏକ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ଦକ୍ଷିଣ ପଶ୍ଚିମ ବିହାରରୁ ଛତିଶଗଡ଼ ଏବଂ ବିଦର୍ଭ ମଧ୍ୟ ଦେଇ ତେଲେଙ୍ଗାନା ଯାଏଁ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଯାଏଁ ବାୟୁମଣ୍ଡଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ଉତ୍ତର ଏବଂ ଉପକୂଳ ଓଡ଼ିଶାର ପ୍ରାୟତଃ ସବୁଜିଲ୍ଲାରେ ବର୍ଷା ହୋଇଛି । କିଛି ଜିଲ୍ଲାରେ ଦିନ ତମାମ ବର୍ଷା ଲାଗିରହିଥିବା ବେଳେ ଘଡ଼ଘଡ଼ି ଏବଂ କୁଆପଥର ମାଡ଼ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ମୁଖ୍ୟତଃ ଉତ୍ତର ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଥିଲା । ତେବେ ଆଜି ସକାଳୁ ଉତ୍ତର ଓଡ଼ିଶାରେ ପ୍ରଚୁର ବର୍ଷା ଆରମ୍ଭ ହେବାସହ ଦିନ ତମାମ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜର ବହୁ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଥିଲା । ଦିନ ବଢ଼ିବା ସହ ବର୍ଷା ଧିରେ ଦିରେ ଅନ୍ୟ ଉପକୂଳ ଜିଲ୍ଲାକୁ ବ୍ୟାପିଥିଲା ।
ଭୁବନେଶ୍ୱର ଏବଂ କଟକ ସହରରେ ମଧ୍ୟ ସନ୍ଧ୍ୟା ସମୟରେ ମଧ୍ୟମ ବର୍ଷା ହୋଇଥିଲା । ପଶ୍ଚିମା ଝଡ଼ ପ୍ରଭାବରେ ଭୁବନେଶ୍ୱର ଆକାଶରେ ସକାଳୁ ମେଘ ଖଣ୍ଡ ଭାସିବା ସହ ରାଜଧାନୀରେ ଘଣ୍ଟା ପ୍ରତି ୨୦ରୁ ୨୫ କିମି ବେଗରେ ପବନ ବହିଥିଲା । ମୋଟ ଉପରେ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାରେ ଆଜି ବର୍ଷା ହୋଇଛି । ଆଜି ସକାଳ ସୁଦ୍ଧା ସୁନ୍ଦରଗଡ଼ ବାରଗାଁରେ ୪୫.୬ ମିଲିମିଟର, ଝାରସୁଗୁଡ଼ା ଲଇକେରାରେ ୪୪.୦ ମିଲିମିଟର ଏବଂ କିରିମିରାରେ ୪୩.୨ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ସେହିଭଳି ବେତନଟୀରେ ୩୮.୦ ମିଲିମିଟର, ରାଜଗାଙ୍ଗପୁରରେ ୩୩.୪ ମିଲିମିଟର, ଲାଠିକଟାରେ ୩୨.୦ ମିଲିମିଟର, ଝାରସୁଗୁଡ଼ା ସହରରେ ୩୦.୫, କେନ୍ଦୁଝର ଯୋଡ଼ାରେ ୨୫.୬ ମିଲିମିଟର, ଯଶୀପୁରରେ ୨୫.୩ ମିଲିମିଟର, ଅତାବିରାରେ ୨୦.୪ ମିଲିମିଟର, ବାରିପଦା ସହରରେ ୨୦.୪ ମିଲିମିଟର, ସମ୍ବଲପୁରରେ ୧୯.୬ ମିଲିମିଟର, ଦେବଗଡ଼ରେ ୧୦ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି ।
ଶନିବାର ସକାଳ ଯାଏଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ବଳବତ୍ତର ରହିଛି । ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ମୁତାବକ ୬ ଫେବୃଆରୀରେ ଏକ ପଶ୍ଚିମା ଝଡ଼ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ଥିବାବେଳେ, ୨ ଦିନ ପରେ ଅର୍ଥାତ ୮ ଫେବୃଆରୀରୁ ଅନ୍ୟ ଏକ ପଶ୍ଚିମା ଝଡ଼ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ତେଣୁ ଫେବୃଆରୀ ଦ୍ୱିତୀୟ ସପ୍ତାହ ବେଳକୁ ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଦେଖା ଦେଇପାରେ । ରାତ୍ରି ତାପମାତ୍ରା ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକ ତାପମାତ୍ରା ଠାରୁ ୬.୪ ଡିଗ୍ରୀ ଯାଏଁ ଅଧିକ ରହିଛି । ଭୁବନେଶ୍ୱରରେ ୧୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୧୯ ଡିଗ୍ରୀ, ବଲାଙ୍ଗୀରରେ ୧୮.୮ ଡିଗ୍ରୀ, ଅନୁଗୁଳରେ ୧୮ ଡିଗ୍ରୀ, ସମ୍ବଲପୁରରେ ୧୭.୬ ଡିଗ୍ରୀ, ବାରିପଦାରେ ୧୭ ଡିଗ୍ରୀ, ଝାରସୁଗୁଡ଼ାରେ ୧୬ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ଼ ହୋଇଛି । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡିଗ୍ରୀ ତଳକୁ ଖସିବା ସହ ସ୍ୱାଭାବିକ ହେବା ସମ୍ଭାବନା ।