ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ବାୟୁମଣ୍ଡଳରେ ଥିବା ନିମ୍ନ ଚାପରେଖା ସମୁଦ୍ର-ପତ୍ତନରୁ ୦.୯ କିମି ଯାଏଁ ପଶ୍ଚିମ ଉତ୍ତରପ୍ରଦେଶରୁ ପୂର୍ବ-ଉତ୍ତରପ୍ରଦେଶ, ବିହାର, ସବ-ହିମାଳୟ ପଶ୍ଚିମବଙ୍ଗ ମଧ୍ୟ ଦେଇ ଆସାମ ଯାଏଁ ଲମ୍ବିଛି । ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ଶୁକ୍ରବାର ଦିନ ଅଧା ଓଡ଼ିଶାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ବରଂ ଆସନ୍ତା ସପ୍ତାହ ଯାକ ରାଜ୍ୟର ଏକାଧିକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଜୁନ୍ ମାସରେ ସ୍ୱାଭାବିକଠୁ କମ୍ ପରିମାଣର ବର୍ଷା ରେକର୍ଡ ହୋଇଥିବାବେଳେ ଜୁଲାଇ ମାସରେ କିନ୍ତୁ ସ୍ୱାଭାବିକ ବର୍ଷା ରେକର୍ଡ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଟୁଇଟ୍ରୁ ଏହା ଜଣାପଡ଼ିଛି । ଜୁଲାଇ ମାସରେ ସମଗ୍ର ଦେଶରେ ବର୍ଷାର ପରିମାଣ ୯୪ରୁ ୧୦୬% ଯାଏଁ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସେହିପରି ଜୁନ ୧ରୁ ଜୁଲାଇ ୧ ସୁଦ୍ଧା ରାଜ୍ୟରେ ମୋଟ ୧୮୪.୬ ମିମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୨୫.୨ ମିମି ଠାରୁ ୧୮% କମ । ରାଜ୍ୟର ୧୪ ଜିଲ୍ଲା ଯଥା; ବଲାଙ୍ଗିର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି; ଯାହା ସ୍ୱାଭିବିକ ବର୍ଷାଠୁ ୨୦ ରୁ ୫୯% ଯାଏଁ କମ୍ । ସେହିପରି ୪ ଜିଲ୍ଲା ପୁରୀ, କଟକ, କେନ୍ଦ୍ରାପଡା ଓ କୋରାପୁଟରେ ସ୍ୱାଭାବିକରୁ ୨୦ ରୁ ୫୯% ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଠ ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । କୋରାପୁଟରେ ସର୍ବାଧିକ ୨୯୧.୧ ମିମି ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୯୨.୭ ମିମି ବର୍ଷା ରେକର୍ଡ ହୋଇଛି । ଏଯାବତ୍ ଭଦ୍ରକ ଜିଲ୍ଲାରେ ୫୨%, ଗଞ୍ଜାମ ଜିଲ୍ଲାରେ ୪୮%, ଗଜପତିରେ ୪୫%, କେନ୍ଦୁଝର ଠାରେ ୪୨%, ଯାଜପୁରରେ ୪୦% ଏବଂ ବୌଦ୍ଧ ଠାରେ ୪୦% କମ୍ ବର୍ଷା ରେକର୍ଡ କରାଯାଇଛି ।
ସେହିପରି ପୁରୀରେ ସର୍ବାଧିକ ୩୬%, କୋରାପୁଟରେ ୩୩% ଏବଂ କେନ୍ଦ୍ରାପଡାରେ ୩୦% ଅଧିକ ବର୍ଷା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଏଯାବତ୍ ମୋଟ ୩୦୮.୬ ମିମି ବର୍ଷା ରେକର୍ଡ ହୋଇଛି । ଏହା ମଧ୍ୟରେ ଶୁକ୍ରବାର ମୁଖ୍ୟତଃ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।