28.1 C
Bhubaneswar
Monday, November 18, 2024
Homeଓଡିଶାଚାଷୀଙ୍କୁ ବର୍ଷା ଡର, ଆଜିଠୁ ସଂକ୍ରାନ୍ତି ଯାଏ ବର୍ଷିବ

ଚାଷୀଙ୍କୁ ବର୍ଷା ଡର, ଆଜିଠୁ ସଂକ୍ରାନ୍ତି ଯାଏ ବର୍ଷିବ

ଭୁବନେଶ୍ୱର: ୯ ତାରିଖ ପରଠୁ ରାଜ୍ୟର କିଛି ସ୍ଥାନରେ ଆଂଶିକ ବର୍ଷା ହେବାନେଇ ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ତାହା ସତହୋଇଛି । ଗତ ୨୪ ଘଣ୍ଟାରେ ବିଶେଷ କରି ସୋମବାର ଦିନ ପ୍ରାରମ୍ଭରୁ ମୁଖ୍ୟତଃ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବାରଗାଁରେ ସବୁଠୁ ଅଧିକ ୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ସୁନ୍ଦରଗଡ଼ରେ ୨.୧ ମିଲିମିଟର, ବଲାଙ୍ଗିର ଖପ୍ରାଖୋଲରେ ୨.୦ ମିଲିମିଟର, ସୋନପୁର ଡୁଙ୍ଗୁରିପାଲିରେ ୨.୦ ମିଲିମିଟର, ବଲାଙ୍ଗିରରେ ୧.୫ ମିଲିମିଟର, ବେଲପଡ଼ାରେ ୧.୫ ମିଲିମିଟର, ବରଗଡ଼ରେ ୦.୧ ମିଲିମିଟର ଏବଂ ସମ୍ବଲପୁରରେ ୦.୧ ମିଲିମିଟର ବର୍ଷା ହୋଇଛି ।

ପଶ୍ଚିମା ଝଡ଼ର ଆଗମନ ତଥା ପୂର୍ବଦିଗରୁ ବଙ୍ଗୋପସାଗର ମଧ୍ୟରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉଷ୍ମ-ଜଳୀୟବାଷ୍ପର ପ୍ରଭାବରେ ରାଜ୍ୟରେ ୧୧ ରୁ ୧୪ ତାରିଖ ମଧ୍ୟରେ ବର୍ଷା ଲାଗି ରହିବ । କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହ ପ୍ରବଳ ବର୍ଷା (୬ ରୁ ୧୧ ସେମି ମଧ୍ୟରେ) ସମ୍ଭାବନା ରହିଛି । ଆଜି ଏକ ନିମ୍ନ ଚାପରେଖା ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ଉତ୍ତର ହରିୟାଣା ଅଞ୍ଚଳରେ ସକ୍ରିୟ ପ୍ରେରିତ ଘୂର୍ଣ୍ଣିବଳୟ ଅଞ୍ଚଳରୁ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଯାଏଁ ଲମ୍ବିଛି । ଉପରୋକ୍ତ ନିମ୍ନ ଚାପରେଖା ପ୍ରଭାବରେ ଆଭ୍ୟନ୍ତରୀଣ ଓଡି଼ଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଜଣାଇଛି । ଆଗାମୀ ୨୪ ଘଣ୍ଟାରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଏଣୁ ପାଣିପାଗ ବିଭାଗ ତରଫରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ସ୍ଥାନରେ ବଜ୍ରପାତ ସହ କୁଆପଥର ମାଡ଼ ହେବାର ମଧ୍ୟ ଆଶଙ୍କା ରହିଛି ।

ଏହାପରେ ବର୍ଷାର ପରିମାଣ ବୃଦ୍ଧିପାଇବ । ବିଶେଷ କରି ୧୧ରୁ ୧୪ ତାରିଖ (ମକର ସଂକ୍ରାନ୍ତି) ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ବଲାଙ୍ଗିର, ଅନୁଗୋଳ, ବୌଦ୍ଧ ଏବଂ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୧୨ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପଟେ ୧୨ରୁ ୧୩ ତାରିଖ ଭିତରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଏସବୁ ସ୍ଥାନରେ ମଧ୍ୟ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୩ରୁ ୧୪ ତାରିଖ ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ସମାନ ବର୍ଷା ଲାଗିରହିବା ଦର୍ଶାଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୪ ତାରିଖରେ ବର୍ଷା ଲାଗି ରହିବ ହେଲେ ଅତି ମାତ୍ରାରେ ବର୍ଷିବ ନାହିଁ । ୧୫ ତାରିଖ ପରଠୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଜଣାଇଛି । ପାଚିଲା ଧାନକୁ ଅମଳ କରିବା ସହ ଏହାକୁ ନିରାପଦ ସ୍ଥାନକୁ ଆଣିବା ଏବଂ ରବି ଫସଲ ତଥା ତୈଳବୀଜ ବୁଣିବା ପ୍ରକ୍ରିୟାକୁ କିଛିଦିନ ସ୍ଥଗିତ ରଖିବାକୁ ଚାଷୀଙ୍କୁ କୁହାଯାଇଛି ।

ବର୍ଷା ଥିବାରୁ ଫୁଲ ଧରୁଥିବା ସୋରିଷ ଏବଂ ବାଦାମ କିଆରୀରେ ଆଉ ପାଣି ନମଡ଼ାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପିଆଜ, ଟମାଟୋ ଆଦି କ୍ଷେତ ଉପରେ ଜରି ଘୋଡ଼ାଇବା ଏବଂ ପାଣି ନିଷ୍କାସନ ଲାଗି ନାଳୀ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ବନ୍ଧାକୋବି, ଫୁଲକୋବି, ଗାଜର, ମୂଳା, ବିନ୍ସ, ଗ୍ରୀନ ମଟର ଆଦି ଫସଲକୁ ୧୦ ତାରିଖ ପୂର୍ବରୁ ତୋଳିନେବାକୁ କୁହାଯାଇଛି । ଅନ୍ୟପଟେ ସାର, କୀଟନାଶକ ପ୍ରୟୋଗରୁ ବିରତ ରହିବାକୁ ମଧ୍ୟ ଚାଷୀଙ୍କୁ କୁହାଯାଇଛି । ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବାବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ପାଖାପାଖି ରହିଛି ।

ଗତ ୨୪ ଘଣ୍ଟାରେ ଫୁଲବାଣୀ ଠାରେ ସର୍ବନିମ୍ନ ୧୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ କିରେଇ ଏଏମଏଫୟୁରେ ୧୦.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଦାରିଙ୍ଗବାଡ଼ି ଏବଂ ଜି ଉଦୟଗିରି ହିଲଷ୍ଟେସନରେ ଯଥାକ୍ରମେ ୧୦.୦ ଡିଗ୍ରୀ ଏବଂ ୯.୦ ଡିଗ୍ରୀ ତାପମାତ୍ରା ରହିଛି । ରାଜଧାନୀ ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ଏବଂ କଟକରେ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭବାନୀପାଟଣାର ତାପମାତ୍ରା ସବୁଠୁ ଅଧିକ ୩୦.୫ ଡିଗ୍ରୀ ରହିଥିଲା । ପୁରୀରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଯେଉଁଠି ଭିଜିବିଲିଟି ରେଞ୍ଜ ୫୦ ମିଟରରୁ କମ୍ ରହିଥିଲା । ସେହିଭଳି ପାରାଦୀପ ଠାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ସେଠାରେ ଭିଜିବିଲିଟି ରେଞ୍ଜ୍ ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking