ଭୁବନେଶ୍ୱର: ରାଜ୍ୟରେ କମୁଛି ତାପମାତ୍ରା, ଅସହ୍ୟ ହେବାରେ ଲାଗିଛି ଶୀତ । ଉପାନ୍ତଠୁ ଉପକୂଳ ସବୁଠି ରାତିର ତାପମାତ୍ରା ସ୍ୱାଭାବିକଠାରୁ ତଳେ ରହିଛି । ଉପକୂଳ ଅଞ୍ଚଳରେ ପାରଦ ୦.୩ ଡିଗ୍ରୀରୁ ୧.୭ ଡିଗ୍ରୀ ଯାଏ ହ୍ରାସ ପାଇଥିବାବେଳେ ଆଭ୍ୟନ୍ତରୀଣ ଓ ସୀମାନ୍ତ ଜିଲ୍ଲାରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇଛି । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଖିଲା ତଥା ଥଣ୍ଡା ପବନ ବହୁଛି । ଯାହା ରାଜ୍ୟରେ ସର୍ବନିମ୍ନ ତଥା ରାତି ତାପମାତ୍ରା କମିବାରେ ସହାୟକ ହେଉଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ଅଧିକାଂଶ ଜିଲ୍ଲାରେ ପାଗ ଧୁଆଁଳିଆ ରହିବା ସହ ସକାଳୁ ଘନ କୁହୁଡ଼ିର ଆସ୍ଥରଣ ନଜରକୁ ଆସୁଛି ।
ଗତ ୨୪ ଘଣ୍ଟାରେ ବିଶେଷ କରି ସମତଳ ଓ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ପାହାଡ଼ି ଅଞ୍ଚଳରେ ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିବାବେଳେ ସମତଳ ଅଞ୍ଚଳ ଫୁଲବାଣୀରେ ପାରଦ ୯ ଡିଗ୍ରୀ ରେକର୍ଡ ହୋଇଛି । ମୋଟ ୨୨ ସହରରେ ପାରଦ ୧୫ ଡିଗ୍ରୀ ତଳେ ଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ସହରରେ ପାରଦ ୧୩ ଡିଗ୍ରୀରୁ କମ ରହିଛି । ଆସନ୍ତା ୨ରୁ ୩ ଦିମ ମଧ୍ୟରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରାଯାଉଥିବାବେଳେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ।
ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧.୫ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ତଳକୁ ଖସିଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି । ଉପକୂଳ ଓଡ଼ିଶାରେ ୦.୨ରୁ ୧.୩ ଡିଗ୍ରୀ ଯାଏ ତଳକୁ ଖସିଛି । କେନ୍ଦୁଝର, କୋରାପୁଟ ଓ ଝାରସୁଗୁଡ଼ା, ଟିଟିଲାଗଡ଼, ଭବାନୀପାଟଣା, ସୁନ୍ଦରଗଡ଼ ଭଳି ସହରରେ ପାରଦ ୧୦ ଡିଗ୍ରୀରୁ ୧୩ ଡିଗ୍ରୀ ଭିତରେ ଥିବାବେଳେ ଆସନ୍ତା ଦିନରେ ଏହା ୨ ଅଙ୍କରୁ ଏକ ଅଙ୍କକୁ ଫେରିବା ନେଇ ଆକଳନ କରାଯାଇଛି ।
ରାଜ୍ୟରେ ଥଣ୍ଡା ପବନ ପ୍ରବାହ ସମୟାନୁକ୍ରମେ ଶକ୍ତିଶାଳୀ ହେଉଥିବାବେଳେ ସନ୍ଧ୍ୟା ପରେ ଘରୁ ବାହାରିଲେ ଶୀତ ବସ୍ତ୍ର ପିନ୍ଧିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିବାବେଳେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଆସନ୍ତା ୩ ଦିନ ଯାଏ ରାଜ୍ୟରେ କିଛି ବିଶେଷ ପରିବର୍ତ୍ତନ ହେବାର ନାହିଁ । ୩ ଦିନ ପରେ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।