17.1 C
Bhubaneswar
Tuesday, November 19, 2024
Homeଓଡିଶାକୁହୁଡ଼ି ଚାଦରରେ ଆଭ୍ୟନ୍ତରୀଣ ଓଡ଼ିଶା : ୧୫ଂ ତଳେ ୧୨ ସହର, କମୁଛି ଦିନ ପାରଦ

କୁହୁଡ଼ି ଚାଦରରେ ଆଭ୍ୟନ୍ତରୀଣ ଓଡ଼ିଶା : ୧୫ଂ ତଳେ ୧୨ ସହର, କମୁଛି ଦିନ ପାରଦ

ଭୁବନେଶ୍ୱର:  ଥରାଇବ ଜାଡ଼, କୁହୁଡ଼ି ଚାଦରରେ ଆଚ୍ଛାଦିତ ହେବ ରାଜ୍ୟ । ଆସନ୍ତାକାଲିଠାରୁ ରାଜ୍ୟକୁ ପୁନଃ ଉତ୍ତରା ପବନ ବହିବା ପାଇଁ ପାଗ ଅନୁକୂଳ ହୋଇଛି । ଆସନ୍ତାକାଲିଠାରୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ଅଧିକରୁ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି । ବିଶେଷକରି ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ । ରାଜ୍ୟରେ ରାତିର ପାରଦ ଗତ କିଛି ଦିନ ହେବ ତଳମୁହାଁ ହୋଇଥିବାବେଳେ ମଙ୍ଗଳବାର ଦିନ ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ କମିବା ଆରମ୍ଭ ହୋଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ତଳକୁ ଖସିବା ପୂର୍ବାକଳନ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି।

ରାଜ୍ୟର ୧୨ ସହରରେ ତାପମାତ୍ରା ଏବେ ୧୫ ଡିଗ୍ରୀ ତଳେ ଥିବାବେଳେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଦ ଅହେତୁକ ଭାବେ ତଳକୁ ଖସିଥିବା ନଜରକୁ ଆସିଛି । ସୋମବାର ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ରହିଥିବାବେଳେ ୨୪ ଘଣ୍ଟାରେ ଏହା ୨.୫ ଡିଗ୍ରୀ ତଳକୁ ଖସିଛି । ସେହିପରି ସମତଳ ଅଞ୍ଚଳଗୁଡ଼ିକରେ ପାରଦ ୩ ଡିଗ୍ରୀ ଯାଏ ତଳକୁ ଖସିଛି । ତାଳଚେରରେ ସର୍ବାଧିକ ରାତି ପାରଦ ୩ ଡିଗ୍ରୀ ଖସିଥିବାବେଳେ ସୋନପୁରରେ ୨.୯, କେନ୍ଦୁଝରରେ ୨.୮, ସମ୍ବଲପୁରରେ ୨.୫, ପାରାଦ୍ୱୀପରେ ପାରଦ ୨.୧ ଡିଗ୍ରୀ ତଳକୁ ଖସିଥିବାବେଳେ ଟୁଇନସିଟି କଟକ-ଭୁବନେଶ୍ୱରରେ ପାରଦ ୧.୫ ଡିଗ୍ରୀ ଯାଏ ତଳକୁ ଖସିଛି ।

ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ପରିମାଣ ବୃଦ୍ଧିପାଇବ ବୋଲି ବିଶେଷଜ୍ଞ ଶ୍ରୀ ଦାସ କହିଛନ୍ତି । ସୂଚନାଥାଉ କି, ରାଜ୍ୟରେ ଏବେ ହାଲୁକା ଶୀତ ପଡ଼ିବା ଆରମ୍ଭ ହୋଇଥିବାବେଳେ ବିଳମ୍ବ ହେଉ ପଛେ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ପୁଣି ସକ୍ରିୟ ହେବାରେ ଲାଗିଛି । କିଛି ସ୍ଥାନରେ ଘନକୁହୁଡ଼ି ନଜରକୁ ଆସିଥିବାବେଳେ ଆସନ୍ତା ୨ରୁ ୩ ଦିନ ରାଜ୍ୟରେ କୁହୁଡ଼ି ପଡ଼ିବା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବିଶେଷ କରି କହିବାକୁ ଗଲେ ରାଜ୍ୟକୁ ଏବେ ପୂରୁବା ପବନ ବହିବାରେ ରୋକ ଲାଗିଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତି ପାରଦ କମିବାରେ ଲାଗିଛି । କିନ୍ତୁ ଆଭ୍ୟନ୍ତରୀଣରେ ରାତି ପାରଦରେ କିଛି ବିଶେଷ ପରିବର୍ତ୍ତନ ନଜରକୁ ଆସିନାହିଁ । ଆସନ୍ତାକାଲିଠାରୁ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରା ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking