ନୂଆଦିଲ୍ଲୀ : ବର୍ଷସାରା ଶାଢ଼ି ନପିନ୍ଧିଲେ ମଧ୍ୟ ବିବାହ ଓ ପର୍ବପର୍ବାଣିଗୁଡ଼ିକରେ ମହିଳା ଓ ଝିଅମାନେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି । ଶାଢ଼ି ପିନ୍ଧି ମ୍ୟାଜିକାଲ୍ ଷ୍ଟାଇଲ୍ ପାଇବା ବହୁତ କଷ୍ଟ, କିନ୍ତୁ ଆମ ଦେଶ ଏପରିକି ବିଦେଶରେ ମଧ୍ୟ ଶାଢ଼ିର ଫ୍ୟାନ୍ସ ଅନେକ ଅଛନ୍ତି । କେହି ସ୍ୱୀକାର ନକରିଲେ ମଧ୍ୟ ଏକଥା ସତ ଯେ ବିଶେଷ ଅବସରରେ ପ୍ରଥମେ ଶାଢ଼ି ଉପରେ ଗୁରୁତ୍ୱ ଦିଆଯାଏ । ଅନେକ ଶାଢ଼ି ବିବାହ ସମୟରେ ଉପହାର ଭାବରେ ମହିଳାଙ୍କୁ ମିଳିଥାଏ ତ ଆଉ କେତେକ ଶାଢ଼ି ବୟସ୍କ ସମ୍ପର୍କୀୟାଙ୍କ ଠାରୁ ମିଳିଥାଏ । ତେବେ ଆଜି ବି ଅନେକ ଝିଅ ଓ ମହିଳାମାନେ ଶାଢ଼ି ପିନ୍ଧିବାକୁ ଭୟ କରୁଛନ୍ତି କାରଣ ଏହାକୁ ଠିକ୍ ଭାବରେ ସେମାନେ ଦୈନନ୍ଦିନ ଜୀବନରେ ହ୍ୟାଣ୍ଡେଲ୍ କରିପାରିବେ ନାହିଁ । ଆଉ କେତେକ ଆରାମ ଦୃଷ୍ଟିରୁ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । ଏହାର ମୁଖ୍ୟ କାରଣ ଶାଢ଼ିର ଫେବ୍ରିକ୍ । ପ୍ରଥମ ଥର ପାଇଁ ଯିଏ ଶାଢ଼ି ପିନ୍ଧୁଥିବେ ତାଙ୍କ ପାଇଁ ଫେବ୍ରିକ୍ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ ଆଜି କେତେକ ଫେବ୍ରିକ୍ସ ଉପରେ ଆଲୋଚନା କରିବା ଯାହା ପ୍ରଥମ ଥର ପାଇଁ ଶାଢ଼ି ପିନ୍ଧୁଥିବା ଝିଅ ବା ମହିଳାଙ୍କୁ ସାହାଯ୍ୟ କରିବ ।
ଶିଫନ୍- ସ୍କୁଲ୍ର ଫେୟାର୍ୱେଲ୍ ପାର୍ଟି ହେଉ ବା କଲେଜର ଫ୍ରେସର୍ ପାର୍ଟି ହେଉ ଶିଫନ୍ ଶାଢ଼ିର ଚାହିଦା ଅଧିକ ଥାଏ । କାରଣ ଏହି ଦୁଇଟି ଅବସରରେ ଝିଅମାନେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି । ଏହା ଏକ ବହୁତ ଆରାମଦାୟକ ଫେବ୍ରିକ୍ ଓ ହାଲୁକା ମଧ୍ୟ । ଡ୍ରେପ୍ କରିବା ପାଇଁ ଶିଫନ୍ ଶାଢ଼ି ଅତି ସହଜ ହୋଇଥାଏ । ଏହା ବ୍ୟତୀତ ଶିଫନ୍ ଶାଢ଼ି ପିନ୍ଧି କିଛି ସମୟ ଅତିବାହିତ କରିବା ଓ କାମ କରିବା ମଧ୍ୟ ସହଜ ହୋଇଥାଏ । ଏହି ଫେବ୍ରିକ୍କୁ ପ୍ରସିଦ୍ଧ କରାଇବାରେ ବଲିଉଡ୍ର ମଧ୍ୟ ହାତ ରହିଛି ।
ଜର୍ଜେଟ୍- ଆମ ମା’ଙ୍କ ପାଖରେ ଜର୍ଜେଟ୍ ଶାଢ଼ି ଅଧିକ ମାତ୍ରାରେ ଥିବାର ଦେଖିଥିବା । ଏହି ଶାଢ଼ି କମ୍ ଯତ୍ନ ଆବଶ୍ୟକ କରେ । ଏହାକୁ ଧୋଇବା ମଧ୍ୟ ଅତି ସହଜ । ଯଦି ଅଫିସ୍ ବା ଦୈନନ୍ଦିନ ଜୀବନରେ ଏହାକୁ ବ୍ୟବହାର କରିବାକୁ କେହି ଚାହାନ୍ତି ତେବେ ଜର୍ଜେଟ୍ ଶାଢ଼ି ଏକ ଭଲ ଅଫ୍ସନ୍ । ଏହି ଶାଢ଼ିରେ ସୁନ୍ଦର ସୁନ୍ଦର ପ୍ରିଣ୍ଟ୍ ଥାଏ ଓ ଭିନ୍ନ ଭିନ୍ନ ରଙ୍ଗର ମଧ୍ୟ ଜର୍ଜେଟ୍ ଶାଢ଼ି ମିଳିଯିବ । ବର୍ଷା ଓ ଶୀତ ଦିନେ ଏହି ପ୍ରକାରର ଶାଢ଼ି ଆରାମ ଦେଇଥାଏ । ହାଲୁକା ହେଲେ ମଧ୍ୟ ଜର୍ଜେଟ୍ ସି-ଥ୍ରୁ ନୁହେଁ ଓ ଓଦା ହେଲେ ମଧ୍ୟ ଶୀଘ୍ର ଶୁଖିଯାଏ । ଶିଫନ୍ ଶାଢ଼ି ତୁଳନାରେ ଜର୍ଜେଟ୍ ଓଜନିଆ ହୋଇପାରେ କିନ୍ତୁ ପିନ୍ଧିଲେ କୌଣସି ସମସ୍ୟା ହେବ ନାହିଁ ।
କ୍ରେପ୍- କ୍ରେପ୍ ବହୁତ ସୁନ୍ଦର, ମନୋହର ଓ ଷ୍ଟାଇଲିଶ୍ ଫେବ୍ରିକ୍ । ଶାଢ଼ି ଲୁକ୍ ସହିତ ଏକ୍ସପେରିମେଣ୍ଟ୍ କରିବା ପାଇଁ ଚାହିଁଲେ କ୍ରେପ୍ ଶାଢ଼ି ଉପରେ କରି ପାରନ୍ତି । ଧୋତି ଡ୍ରେପ୍ ହେଉ ବା ଇନ୍ଫିନଟିିି ଡ୍ରେପ୍, କ୍ରେପ୍ ଶାଢ଼ିରେ ସବୁ ପ୍ରକାରର ଡ୍ରେପ୍ ସହଜରେ ହୋଇପାରିବ । ଏହି ଶାଢ଼ିର ଲୁକ୍ ଓ ଫଲ୍ ବହୁତ ସୁନ୍ଦର ଆସେ ।
ର ସିଲ୍କ- ଶାଢ଼ି ସବୁବେଳେ ପାଇଁ ଏଭରଗ୍ରୀନ୍ ଥାଏ । କିନ୍ତୁ ସିଲ୍କ ଶାଢ଼ିର ପରମ୍ପରା ସବୁ ସମୟରେ ରହିଥାଏ । ଏହି ଶାଢ଼ି ସବୁ ସମୟରେ ଓ ସବୁ ବୟସରେ ପିନ୍ଧିବାକୁ ମହିଳାମାନେ ଭଲ ପାଆନ୍ତି । ପ୍ରଥମ ଥର ଶାଢ଼ି ପିନ୍ଧୁଥିବା ଝିଅ ବା ମହିଳାଙ୍କ ପାଇଁ ଏହା ଓଜନିଆ ହୋଇପାରେ । ତେବେ ବିବାହ କିମ୍ବା ଅନ୍ୟ ଉତ୍ସବଗୁଡ଼ିକରେ ର ସିଲ୍କ ରୟାଲ୍ ଲୁକ୍ ଦେବ । ତେବେ ର ସିଲ୍କ ଶାଢ଼ି ପାଇଁ ବିଶେଷ ଯତ୍ନର ଆବଶକତା ରହିଛି ନହେଲେ ଏହା ପୂରା ନଷ୍ଟ ହୋଇଯିବ । ଏହା ବ୍ୟତୀତ ପ୍ରଥମ ଥର ପାଇଁ ଶାଢ଼ି ପିନ୍ଧୁଥିବା ମହିଳାଙ୍କ ପାଇଁ ମଲ୍ମଲ୍, ଲିନେନ୍, ସ୍ୟାଟିନ୍ ଆଦି ପରି ଅଫ୍ସନ୍ ରହିଛି ।