ନୂଆଦିଲ୍ଲୀ : ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା କୋଭିଡ୍ର ନୂଆ ଭାରିଆଣ୍ଟ୍ ବିଏଫ୍-୭ ଭାରତରେ ପହଞ୍ଚିଛି । ବୁଧବାର ଏହି ଭାରିଆଣ୍ଟ୍ରେ ଆକ୍ରାନ୍ତ ୪ ଜଣ ରୋଗୀ ଚିହ୍ନଟ ହେବାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିଆ ବୁଧବାର ଦେଶରେ କୋଭିଡ୍ ସ୍ଥିତି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ କୋଭିଡ୍ ବିଶେଷଜ୍ଞଙ୍କୁ ନେଇ ଏକ ସମୀକ୍ଷା କରିଛନ୍ତି । ଏହି ଭାରିଆଣ୍ଟ୍ ଯେପରି ଭାରତରେ କାୟା ବିସ୍ତାର ନକରେ, ସେଥିପ୍ରତି ସତର୍କତା ଅବଲମ୍ବନ କରିବା ସହ ଏହାକୁ ରୋକିବା ଦିଗରେ ରଣନୀତି ପ୍ରସ୍ତୁତ କରାଯାଉଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଭାରିଆଣ୍ଟ୍କୁ ନେଇ ଏତେଟା ଆତଙ୍କିତ ହେବାର କାରଣ ନାହିଁ ବୋଲି ବୈଠକରେ ଯୋଗଦେଇଥିବା ନିତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ଭି.କେ.ପଲ୍ କହିଛନ୍ତି ।
ଦେଶବ୍ୟାପୀ ବ୍ୟାପକ କୋଭିଡ୍ ଟେଷ୍ଟ ପରୀକ୍ଷା ଚାଲିଥିବାବେଳେ ଭିଡ ସ୍ଥାନରେ ମାସ୍କ୍ ପିନ୍ଧିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଯେଉଁମାନେ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନେ ତୁରନ୍ତ ଏହି ଡୋଜ୍ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ କେବଳ ୨୮ ପ୍ରତିଶତ ଭାରତୀୟ ବୁଷ୍ଟର ଡୋଜ୍ ନେଇଛନ୍ତି । ତେବେ ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକାରେ କୌଣସି ପରିବର୍ତ୍ତନ କରାଯାଇନଥିବା ସେ କହିଛନ୍ତି । ବୁଧବାର ଦେଶରେ ୧୨୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ କେବଳ ୪ ଜଣଙ୍କ ନମୁନାରେ ବିଏଫ୍-୭ ଭାରିଆଣ୍ଟ୍ର ଉପସ୍ଥିତି ଜଣାପଡିଛି । ଏମାନଙ୍କ ମଧ୍ୟରେ ଓଡ଼ିଶା ଓ ଗୁଜରାଟରୁ ଦୁଇଜଣ ଲେଖାଏଁ ରୋଗୀ ଅନ୍ତର୍ଭୁକ୍ତ । ତେଣୁ ସବୁ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ଇନ୍ସାକଗ୍ ସଂସ୍ଥାକୁ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଭାରତରେ କୋଭିଡ୍ର ସବୁ ଭାରିଆଣ୍ଟ୍ ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଇନ୍ସାକଗ୍ ସଂସ୍ଥା ଗଠନ କରାଯାଇଛି । କେବଳ ଚୀନ୍ କାହିଁକି, ବର୍ତ୍ତମାନ ଆମେରିକା, ରିପବ୍ଲିକ୍ ଅଫ୍ କୋରିଆ, ଜାପାନ ଏବଂ ବ୍ରାଜିଲରେ ମଧ୍ୟ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୁନଶ୍ଚ ଆମେରିକା ସମେତ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ ଓ ଡେନମାର୍କରେ ବିଏଫ୍-୭ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇସାରିଲେଣି । ତେଣୁ ବିଦେଶରୁ ଫେରୁଥିବା ଭାରତୀୟ ଏବଂ ଭାରତରେ ପହଞ୍ଚୁଥିବା ବିଦେଶୀ ନାଗରିକଙ୍କ ନମୁନା ଯଦି ପଜିଟିଭ୍ ପ୍ରମାଣିତ ହୁଏ, ତେବେ ସେମାନଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯିବା ଜରୁରୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ୍ ପଜିଟିଭ୍ ଲୋକଙ୍କ ନମୁନାକୁ ତୁରନ୍ତ ଇନ୍ସାକଗ୍ ଜେନୋମ ସିକ୍ୱେନ୍ସିଂ ଲ୍ୟାବ୍କୁ ପଠାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ ପରେ ମାଣ୍ଡ୍ଭିଆ କହିଛନ୍ତିି ଯେ ଭାରତରୁ କୋଭିଡ୍ ଲୋପ ପାଇନାହିଁ । ଦୈନିକ ସଂକ୍ରମଣ ମାମଲା ଅତି ନଗଣ୍ୟ ରହୁଥିଲେ ସୁଦ୍ଧା ଆମକୁ ସତର୍କ ହୋଇ ଚଳିବାକୁ ପଡିବ ବୋଲି ସେ କହିଛନ୍ତି ।