ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନିଆଯିବ କହିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ସେ ଆହୁରି କହିଛନ୍ତି ଯେ କେନ୍ଦୁଝର ଡିସିପି ୟୁନିଟ୍ର ଏକ ଟିମ୍ ମୃତ ଛାତ୍ରଙ୍କ ପରିବାର ପାଖକୁ ଯାଇଛି । ସେମାନେ ପିଲାର ପରିବାରର ଅଭିଯୋଗ ଅନୁଧ୍ୟାନ କରିବେ । ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯିବ । ଅଭିଯୋଗ ଆସୁଥିବାରୁ ମୁଁ ନିଜେ ଏକ ଟିମ୍ କିସ୍ ଯାଇ ଅନୁଧ୍ୟାନ କରିବି । କିସ୍ର ପିଲାମାନଙ୍କୁ ପଚରାଉଚରା କରିବୁ, ତ୍ରୁଟି ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମ ପକ୍ଷରୁ ମଧ୍ୟ ଏନେଇ ଏକ ମାମଲା କରିବୁ । ସ୍ୱଭାବିକ ମୃତ୍ୟୁ ହୋଇ ନଥିଲେ କିସ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପରିବାର ଲୋକ ହତ୍ୟା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ମୃତକ ଭୁବନେଶ୍ଵରର ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଶୁକ୍ରବାର ସକାଳେ ସ୍କୁଲ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଫୋନ କରି ପୁଅ ବାଥରୁମରେ ପଡିଯିବା ଯୋଗୁଁ ଗୋଡ ଭାଙ୍ଗି ଯାଇଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ । ଏହା ଶୁଣି ଛାତ୍ରଙ୍କ ବାପା କେନ୍ଦୁଝରରୁ ଭୁବନେଶ୍ଵରରେ ଆସି ପହଞ୍ଚିଥିଲେ । ହେଲେ ତାଙ୍କୁ ପୁଅର ମୃତଦେହ ଧରାଇ ନେଇଯିବାକୁ କହିଥିଲେ । ଏପରିକି ମେଡିକାଲ ଟ୍ରିଟମେଣ୍ଟ କାଗଜପତ୍ର ଦେଇ ନଥିଲେ । ଘର ଲୋକ ଛାତ୍ରଙ୍କ ବେକ ଓ ହାତରେ ରଶି ଦାଗ ଥିବା ଦେଖିବାକୁ ପାଇଥିଲେ । ଏନେଇ କେନ୍ଦୁଝର ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଏହି ଘଟଣାରେ ତଦନ୍ତ ଜାରି ରହିଛି ।










