ନୂଆଦିଲ୍ଲୀ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ବିଦେଶ ପଳାୟନ ପଛରେ ଭାରତର ହାତ ରହିଛି ବୋଲି ଯେଉଁ ଅଭିଯୋଗ ଉଠିଛି, ତାହାକୁ ଭାରତ ସରକାର ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ କପୋଳକଳ୍ପିତ ବୋଲି କଲେମ୍ବାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ ସରକାର ସବୁବେଳେ ଶ୍ରୀଲଙ୍କା ନାଗରିକଙ୍କ ସ୍ୱାର୍ଥରକ୍ଷା ପ୍ରସଙ୍ଗକୁ ସମର୍ଥନ ଜଣାଇ ଆସୁଛନ୍ତି । ଏପରିକି ଶ୍ରୀଲଙ୍କାରେ ଇନ୍ଧନ ଓ ଖାଦ୍ୟପଦାର୍ଥର ଘୋର ଅଭାବ ପରିଲକ୍ଷିତ ହେଉଥିବାବେଳେ ଭାରତ ପକ୍ଷରୁ ଲକ୍ଷାଧିକ ଟନ ପେଟ୍ରୋଲ, ଡିଜେଲ, ଗହମ, ଚାଉଳ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପଠାଯାଇଛି ।
ଏହାବ୍ୟତୀତ ଦେଶର ଅର୍ଥନୀତିକୁ କିଛିମାତ୍ରାରେ ସୁଧାରିବାକୁ ଶ୍ରୀଲଙ୍କାକୁ ୧୦୦ କୋଟି ଡଲାର ଆର୍ôଥକ ସହାୟତା ପ୍ରଦାନ କରିବାକୁ ମଧ୍ୟ ଭାରତ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ତେଣୁ ଶ୍ରୀଲଙ୍କା ନାଗରିକଙ୍କ ଭାବନାକୁ କ୍ଷୁଣ୍ଣ କରିବା ଭାରତ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଦୂତାବାସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଭାରତର କେତେକ ଶତ୍ରୁରାଷ୍ଟ୍ର ଏଭଳି ଅପପ୍ରଚାର ଚଳାଇଥିବା ଅନୁମାନ କରାଯାଉଛି ।