18.1 C
Bhubaneswar
Monday, November 25, 2024
Homeଓଡିଶାଜଳକା କରିଛି ଜଳବନ୍ଦୀ, ୫୦୦ ଫୁଟ୍ ଘାଇ

ଜଳକା କରିଛି ଜଳବନ୍ଦୀ, ୫୦୦ ଫୁଟ୍ ଘାଇ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପଶ୍ଚିମବଙ୍ଗର ଦକ୍ଷିଣ ଗାଙ୍ଗେୟ ଉପତ୍ୟାକାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ଉତ୍ତର ସୀମାନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜରେ ଭାରି ବର୍ଷା ରେକର୍ଡ ହୋଇଥିବାବେଳେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଳକା ନଦୀରେ ବନ୍ୟା ବିତ୍ପାତ୍ତ ଦେଖିବାକୁ ମିଳିଛି । ରାତିକା ରାତି ଜଳସ୍ତର ଅହେତୁକ ଭାବେ ବଢ଼ିବାରୁ ବାଲେଶ୍ୱରର ୩ ପ୍ରମୁଖ ଅଞ୍ଚଳ ବସ୍ତା, ମଥାନୀ ଓ ରାସଗୋବିନ୍ଦପୁରରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣିଥିବାବେଳେ କିଛି ସ୍ଥାନରେ ଘର ଭିତରେ ପାଣି ପଶିଛି । ପ୍ରାୟ ୧୨ରୁ ଅଧିକ ପଞ୍ଚାୟତର ୭୦ ହଜାରରୁ ଅଧିକ ଲୋକଙ୍କ ସହ ୫୦ ଗାଁ ପାଣିଘେରରେ ଥିବା ନଜରକୁ ଆସିଛି ।

ସାଂଘାତିକ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଥିବାବେଳେ ଏକତାଳି ନିକଟରେ ବୁଧବାର ୫ ଶହ ଫୁଟ୍‌ରୁ ଅଧିକ ଓସାରର ଘାଇ ହୋଇଛି । ଯାହା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି । ଜଳକା ପରେ ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା ନଦୀ । କ୍ରମାଗତ ଭାବେ ବିପଦ ସଙ୍କେତ ତଳେ ରହୁଥିବା ସୁବର୍ଣ୍ଣରେଖା ବୁଧବାର ସକାଳଠାରୁ ଫୁଲିବାରେ ଲାଗିଛି । ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ବୁଧବାର ସକାଳେ ଜଳସ୍ତର ୮.୯୦ ମିଟର ଥିଲା । ବୁଧବାର ପୂର୍ବାହ୍ନରୁ ଏହା କ୍ରମଶଃ ବଢ଼ିବାରେ ଲାଗିଥିବାବେଳେ ସକାଳ ୯ଟାରେ ଜଳସ୍ତର ୯.୩୮ ମି, ମଧ୍ୟାହ୍ନ ୧୨ରେ ୯.୬୯ ମି, ଅପରାହ୍ନ ୩ଟାରେ ୯.୯୧ ମି, ସନ୍ଧ୍ୟା ୬ଟାରେ ୧୦.୦୨ ମି ଓ ସନ୍ଧ୍ୟା ୯ଟାରେ ଏହା ଆହୁରି ବଢ଼ି ୧୦.୦୭ରେ ପହଞ୍ଚିଛି । ରାତି ସୁଦ୍ଧା ଏହା ବିପଦ ସଙ୍କେତ ପାର କରିବା ନେଇ ଆଶଙ୍କା ଥିବାବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବା କୁହାଯାଇଛି ।

ଉଭୟ ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ବର୍ଷା ପରିମାଣ ବଢ଼ିଥିବାରୁ ସୁବର୍ଣ୍ଣରେଖାର ଜଳସ୍ତର ଫୁଲିବାରେ ଲାଗିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଏବେ ମଧ୍ୟ ଜଳକା ନଦୀ ବାଲେଶ୍ୱରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ବାଲେଶ୍ୱରବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ତେବେ ଗତ ୩ ଦିନ ହେବ ବୈତରଣୀର ଜଳସ୍ତର ସ୍ଥିର ରହିଛି । ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ କ୍ରମାଗତ ୭୨ ଘଣ୍ଟା ହେବ ଏଠାରେ ଜଳସ୍ତର ୧୭.୩୦ରୁ ୧୭.୫୦ ମିଟର ମଧ୍ୟରେ ରହୁଛି । ଯଦି ବର୍ଷା ପରିମାଣ ବୃଦ୍ଧିପାଏ ତେବେ ଜଳସ୍ତର ବଢ଼ିବ ବୋଲି ପ୍ରକାଶ ପାଇଛି । ବାଲେଶ୍ୱର ଜିଲ୍ଲାପାଳ ଆଇଏଏସ୍ କେ ସୁଦର୍ଶନ ଚର୍କବର୍ତ୍ତୀ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାରେ ନଦୀର ଉପରମୁଣ୍ଡରେ ୨୪୦ ମିଲିମିଟରରୁ ଅଧିକ ବର୍ଷା ଫଳରେ ଜଳକା ନଦୀରେ ହଠାତ୍ ଜଳସ୍ତର ବୃଦ୍ଧିପାଇଛି ଓ ବନ୍ୟା ଆସିଛି । ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ସଜାଗ ଅଛନ୍ତି ।

ବନ୍ୟା ଘେରରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ମଥାନୀଠାରେ ଜଳକାର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ବୁଧବାର ଏହା ୭ ମିଟର ଉପରେ ପ୍ରବାହିତ ହେଉଛି । ବସ୍ତା-ବାଲିଆପାଳ ରାସ୍ତାରେ ଏବେ ୫ଫୁଟ୍‌ରୁ ଅଧିକ ଉଚ୍ଚର ପାଣି ଚାଲିଛି । ଏକାଧିକ ତଳିଆ ଗାଁରେ ଓଡ୍ରାଫ୍ ଟିମ୍‌ର ଡଙ୍ଗା ଚାଲାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଯେଉଁଠି ବିପଦ ଅଧିକ, ସେଠି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ସେହିଭଳି ପୁନସିତା ଗାଁରେ ଜଣେ ମାଆ ସହ ତାର ୨ ଦିନର ନବଜାତ ଶିଶୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଚର୍କବର୍ତ୍ତୀ ପ୍ରକାଶ କରିଛନ୍ତି ।

ସେହିଭଳି ଅଞ୍ଚଳର ଶହ ଶହ ଏକର ଚାଷ ଜମି ବୁଡ଼ି ଯାଇଛି । ବିଶେଷକରି ଜଳକା ନଦୀର ବନ୍ଧ ଭାଙ୍ଗି ଯିବା ଫଳରେ ଫସଲ ବେଉଷଣ ବାଧାପ୍ରାପ୍ତ ହେବ ବୋଲି ଆକଳନ ପ୍ରକାଶ ପାଇଛି। ସୂଚନା ମୂତାବକ, ପ୍ରବଳ ବନ୍ୟା ଯୋଗୁଁ ଦୁର୍ବଳ ଥିବା ନଦୀବନ୍ଧ ଭାଙ୍ଗି ଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀବନ୍ଧ ସମ୍ପୁର୍ଣ୍ଣ ଦୁର୍ବଳ ହୋଇଯାଇଛି । ଗତ ୧୦ ବର୍ଷ ହେବ ନଦୀ ବନ୍ଧ ମରାମତି କରାଯାଇନାହିଁ । ଫଳରେ ଅଧିକ ସ୍ଥାନରେ ଘାଇ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଏହାକୁ ନେଇ ନଈ କୂଳରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ତେବେ ଅତ୍ୟଧିକ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲି ବସ୍ତା ପକାଯିବା ପାଇଁ ବାଲିବସ୍ତା ମହଜୁଦ ରଖାଯାଇଛି । ଘାଇ ସୃଷ୍ଟି ହେଲେ ତଥା ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଏବେ ବାଲିବସ୍ତା ପକାଯାଉଥିବା ଜିଲ୍ଲା ଜଳସେଚନ ଅଧିକାରୀ ସୁଚନା ଦେଇଛନ୍ତି । ସେପଟେ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଡହ ଜଳଭଣ୍ଡାରର ମୋଟ୍ ୪ଟି ଗେଟ୍‌ରୁ ୨ଟି ଗେଟ୍ ଖୋଲା ଯିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଜଳଭଣ୍ଡାରର ଜଳଧାରଣ କ୍ଷମତାଠାରୁ ଅଧିକ ପାଣି ପ୍ରବେଶ କରିବାରୁ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking