ନୂଆଦିଲ୍ଲୀ : ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ଭାରତୀୟ ଦଳର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ଶହେ ୱିକେଟ୍ କ୍ଲବ୍ରେ ସାମିଲ୍ ହୋଇଛନ୍ତି । ସେ ନିକୋଲାସ୍ ପୂରନ୍ଙ୍କୁ ତାଙ୍କ ସ୍ପେଲ୍ର ପ୍ରଥମ ଓଭର୍ରେ ପ୍ୟାଭିଲିଅନ୍ ପଠାଇ ଭାରତର ହଜାରେତମ ମ୍ୟାଚ୍ରେ ଏପରି ଅଭିଜ୍ଞତା ହାସଲ କରିଛନ୍ତି । ଏଥିସହ ସେ ଭାରତ ପକ୍ଷରୁ ଦ୍ୱିତୀୟ ଦ୍ରୁତତମ ସ୍ପିନର୍ ହୋଇଛନ୍ତି। ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି ଚାଇନାମାନ୍ କୁଲଦୀପ ଯାଦବ ।
ସେ ତାଙ୍କ ଦିନିକିଆ କ୍ୟାରିୟର୍ର ୬୦ତମ ମ୍ୟାଚ୍ରେ ଶହେ ୱିକେଟ୍ର ସଫଳତା ପାଇଛନ୍ତି । କ୍ରମାଗତ ଦୁଇଟି ବଲ୍ରେ ସେ ପୂରନ୍ ଓ ଅଧିନାୟକ କାଇରନ୍ ପୋଲାର୍ଡଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ସମ୍ଭାବନା ସୃଷ୍ଟି କରିଥିଲେ ହେଁ ଏଥିରୁ ବଞ୍ଚିତ ହୋଇଥିଲେ । ସେହିପରି ଚହଲ୍ ଶହେତମ ୱିକେଟ୍ ନେବାରେ ପଞ୍ଚମ ଦ୍ରୁତତମ ଭାରତୀୟ ବୋଲର୍ ହୋଇଛନ୍ତି । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍କୁ ଆସିବା ପୂର୍ବରୁ ଚହଲ୍ ୯୯ଟି ୱିକେଟ୍ ହାସଲ କରିସାରିଥିଲେ ଓ ଶହେ ୱିକେଟ୍ କ୍ଲବ୍ରେ ସାମିଲ୍ ହେବା ସକାଶେ ଆଦୌ ବେଶୀ ସମୟ ନେଇ ନ ଥିଲେ ।