ନବରଙ୍ଗପୁର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ମହାତୃଟି ଦେଖିବାକୁ ମିଳିଛି ଉମରକୋଟ ବ୍ଲକ୍ ସେମଳା ପଞ୍ଚାୟତର ୪ ନମ୍ବର ୱାର୍ଡରେ । ଭୋଟର ତାଲିକାରେ ଗ୍ରାମବାସୀଙ୍କ ନାଁ ନାହିଁ । ଗ୍ରାମବାସୀଙ୍କ ସ୍ଥାନରେ ଉମରକୋଟ ପୌରାଞ୍ଚଳର ୧୦ ନମ୍ବର ୱାର୍ଡର ଭୋଟରଙ୍କ ନାଁ ରହିଛି । ଫଳରେ ଭୋଟ ଦାନରୁ ବଞ୍ଚିତ ହେଲେ ଗ୍ରାମବାସୀ ବୋଲି ଅଭିଯୋଗ କରିଛନ୍ତି । ଉମରକୋଟ ବ୍ଲକ୍ ଅନ୍ତର୍ଗତ ସେମଳା ପଞ୍ଚାୟତର ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ବୁଥ୍ କରଯାଇଥିଲା । ୪ନମ୍ବର ୱାର୍ଡର ଭୋଟର ତାଲିକାରେ ୪୩୯ଙ୍କ ନାମ ରହିଛି । କେବଳ ୩ ଜଣ ହିଁ ଭୋଟ୍ ଦେଇଛନ୍ତି । ଅନ୍ୟ ୪୩୬ ଜଣ ଭୋଟ ଦାନରୁ ବଞ୍ଚିତ ହୋଇଛନ୍ତି । ଭୋଟର ତାଲିକାରେ ଏଭଳି ମହତୃଟିରୁ ଗ୍ରାମବାସୀ ଭୋଟ ଦେଇପାରିନଥିବା କହିଛନ୍ତି । ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ।୨୦୧୬ ମସିହାରେ ପଞ୍ଚାୟତ ପୁନର୍ଗଠନ ସମୟରେ ସୁନାବେଡ଼ା ଓ ସେମଳା ଦୁଇଟି ପଞ୍ଚାୟତ ଗଠନ ହୋଇଥିଲା । ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ଭୋଟର ତାଲିକା ସଂଶୋଧନ କରାଯାଇଥିଲା । ସଂଶୋଧନ ସମୟରେ ସେମଳା ପଞ୍ଚାୟତର ୪ନମ୍ବର ୱାର୍ଡର ୩ ଜଣ ଭୋଟରଙ୍କ ନାମ ନୂତନ ଭାବେ ଯୋଗ କରାଯାଇଥିଲା । ସେହି ୩ ଜଣ ଭୋଟର କେବଳ ଗୁରୁବାର ଭୋଟ ଦେଇଛନ୍ତି । ଅନ୍ୟ ୪୩୬ ଜଣ ଭୋଟରଙ୍କ ନାମ ନ ଥିବାରୁ ଭୋଟ ଦେଇ ନାହାଁନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମଧ୍ୟ ଉକ୍ତ ୱାର୍ଡ ନାମାଙ୍କନ ପତ୍ର ଦାଖଲ କରିବାକୁ ଚାହୁଁ ଥିବା ବେଳେ ଭୋଟର ତାଲିକାରେ ନାଁ ନ ଥିବାରୁ ପ୍ରାର୍ଥୀପତ୍ର କେହି ଦାଖଲ କରି ନଥିଲେ । ଏ ସମ୍ପର୍କ ରେ ପ୍ରିଜାଇଡିଂ ଅଫିସର କହିଛନ୍ତି ୩ ଜଣ ଭୋଟ ଦେଇଛନ୍ତି । ସ୍ଥାନୀୟ ସେକ୍ଟର ଅଫିସର ତଥା ତହସିଲଦାରଙ୍କୁ ପଚାରିବାରୁ ସେ କହିଲେ ବୁଥ୍ରେ ସମସ୍ତେ ପ୍ରସ୍ତୁତ ରହିଛନ୍ତି ଭୋଟର ଆସିଲେ ଭୋଟ ଦେଇପାରିବେ । ଅଧିକ ଜାଣିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ଙ୍କୁ ପଚାରିବାରୁ ଭୋଟର ତାଲିକା ସଂଶୋଧନ ହୋଇ ୭ ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଝୁଲାଇ ଦିଆଯାଇଥିଲା । ସେତେବେଳେ ଭୋଟର ମାନେ ଦେଖି କହିଥିଲେ ସଂଶୋଧନ ହୋଇପାରିଥାନ୍ତା । କିନ୍ତୁ କେହି ଦେଖିଲେ ନାହିଁ କି କହିଲେ ନାହିଁ । ଏହା ବିଧାନସଭା କ୍ଷେତ୍ରର ଭୋଟର ତାଲିକାରୁ ସଫ୍ଟ ୱେୟାର ମାଧ୍ୟମରେ ଡାଉନଲୋଡ କରାଯାଉଥିବା ଶ୍ରୀ ପାଣି ସୂଚନା ଦେଇଥିଲେ ।