ତାମିଲିନାଡୁ : ଆରମ୍ଭ ହୋଇଛି ନିର୍ବାଚନ ଋତୁ । ଗାଁଠୁ ସହର ଯାଏଁ ଯୁଆଡ଼େ ଦେଖ ନେତାଙ୍କ ପୋଷ୍ଟର, ହୋଡିଂ ମାଳ ମାଳ । ଏଥିସହ ପ୍ରଚାର ଗୀତ ଓ ଡିଜେରେ ବି ଗାଁ ଫାଟି ପଡ଼ୁଛି । ପ୍ରାର୍ଥୀମାନେ ଭୋଟରଙ୍କୁ ଲୋଭାଇବାକୁ ବିଭିନ୍ନ ପ୍ରକାରର ଚେଷ୍ଟା କରୁଛନ୍ତି । କିଏ ଗାଁରେ ଭୋଜି ଦେଉଛି ତ ଆଉ କିଏ ଲୋକଙ୍କୁ ଟଙ୍କା ପଇସାର ଲାଳସା ଦେଖାଇ ଭୋଟ୍ ହାତେଇବାକୁ ଚେଷ୍ଟା ଜାରି ରଖିଛି । ଇତି ମଧ୍ୟରେ ତାମିଲନାଡ଼ୁରୁ ଏକ ମଜାଦାର ଖବର ସାମ୍ନାକୁ ଆସିଛି । ତାମିଲନାଡ଼ୁରେ ଜଣେ ଆଶାୟୀ ପ୍ରାର୍ଥୀ ଭୋଟରଙ୍କୁ ଲୋଭାଇବାକୁ ନକଲି ସୁନା କଏନ୍ ବାଣ୍ଟିଛନ୍ତି । ଅମ୍ବୁରର ଜଣେ ନିର୍ଦ୍ଦଳୀୟ ଆଶାୟୀ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ସୁନାର କଏନ୍ ବାଣ୍ଟିଛନ୍ତି । କିନ୍ତୁ ମତଦାତା ଏହି କଏନ୍ର ସତ୍ୟତା ଜାଣିବା ପରେ ହତବାକ୍ ହୋଇଯାଇଛନ୍ତି । ମତଦାତାଙ୍କ କହିବାନୁସାରେ,ଅମ୍ବରର ୩୬ ନମ୍ବର ୱାର୍ଡରୁ ମଣିମେଗାଲାଇ ଦୁରଇପଣ୍ଡି ନିର୍ବାଚନ ଲଢ଼ୁଛନ୍ତି । ସେ ଫେବ୍ରୁଆରୀ ୧୮ ତାରିଖ ରାତିରେ ସ୍ୱାମୀଙ୍କ ସହ ଯାଇ ମତଦାତାଙ୍କୁ ଉପହାର ସ୍ୱରୂପ ସୁନାର କଏନ୍ ଦେଇଥିଲେ ଓ ନଡ଼ିଆ ଗଛ ଚିହ୍ନରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ସେ ଏହି ସୁନା କଏନ୍କୁ ଭୋଟ୍ ପୂର୍ବରୁ ବିକିବାକୁ କିମ୍ବା ବନ୍ଧା ପକାଇବାକୁ ମନା କରିଥିଲେ । ତାଙ୍କୁ କହିଥିଲେ ଯେ ଏମିତି ହେଲେ ସୁନା କଏନ୍କୁ ନିର୍ବାଚନ କମିଶନ ଜବତ କରିବେ । ଏଣୁ ମତ ଦାତା ଏହାକୁ ଚୁପ୍ଚାପ ଲୁଚାଇ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ରବିବାର କିଛି ମତ ଦାତା ଏହି ସୁନା କଏନ୍ଙ୍କୁ ବନ୍ଧା ରଖିବାକୁ ଗଲା ବେଳେ ଜାଣିବାକୁ ପାଇଥିଲେ ଯେ ଏହା ସୁନା ନୁହେଁ, ବରଂ ତମ୍ବା କଏନ୍ । ମଣିମେଗାଲାଇ ଏହା ଉପରେ ସୁନା ପାଣି ଦେଇ ଲୋକଙ୍କୁ ବୋକା ବନାଇଛନ୍ତି । ଅନ୍ୟପଟେ କଏନ୍ ପାଇଥିବା ଜଣେ ମହିଳା କହିଛନ୍ତି, ମଣିମେଗାଲାଇ ତାଙ୍କୁ କହିଥିଲେ ସେ ୨୦ ଲକ୍ଷ ଟଙ୍କାରେ ତାଙ୍କ ଘର ବନ୍ଧା ପକାଇ ଏହି ସୁନା କଏନ୍ କିଣିଛନ୍ତି ଓ ଭୋଟ୍ ଭିକ୍ଷା କରିଥିଲେ । ଏଣୁ ଲୋକମାନେ ତାଙ୍କୁ ଦୟା ଦେଖାଇ ଭୋଟ୍ ଦେଇଥିଲେ । କିନ୍ତୁ ଏବେ ସତ ଜାଣିବା ପରେ ସେମାନେ ପସ୍ତାଉଛନ୍ତି । ତେବେ ଏ ନେଇ କେହି ପୋଲିସରେ ଅଭିଯୋଗ କରିନଥିବା ଜଣାଯାଇଛି ।