28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶରାଜସ୍ଥାନରେ ‘ବିପର୍ଯ୍ୟୟ’ର ତାଣ୍ଡବ: ୬ ମୃତ

ରାଜସ୍ଥାନରେ ‘ବିପର୍ଯ୍ୟୟ’ର ତାଣ୍ଡବ: ୬ ମୃତ

ଜୟପୁର: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ପରେ ଏବେ ରାଜସ୍ଥାନରେ ତାଣ୍ଡବ ରଚୁଛି । ଏହାର ପ୍ରଭାବର ରାଜ୍ୟର କେତେକ ଅଞ୍ଚଳରେ ଗତ ୩୬ ଘଣ୍ଟା ଧରି ବର୍ଷା ଲାଗି ରହିଛି, ଯାହା ଫଳରେ ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି । ବାଡ଼ମେର, ସିରୋହି, ବାଂସବାଡ଼ା, ଉଦୟପୁର, ରାଜସମନ୍ଦ, ପାଲି, ଆଜମେର୍‌, କୋଟା ସମେତ ଅନେକ ଜିଲ୍ଲାରେ ଭୀଷଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ଜିଲ୍ଲାର କେତେକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୦ରୁ ୧୩ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇସାରିଛି । ବାତ୍ୟା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ଜଣ ପ୍ରାଣ ହରାଇଥିବା ଜଣାଯାଇଛି । ଜାଲୋର ଜିଲ୍ଲାର ସାଞ୍ଚୋରରେ ସୁରାଭା ବନ୍ଧ ଭାଙ୍ଗିଯିବା ଫଳରେ କେତେକ ଅଞ୍ଚଳ ବୁଡ଼ିଯାଇଛି । ଏହା ଫଳରେ ନର୍ମଦା ଲିଫ୍ଟ କେନାଲ୍‌ରେ ପାଣି ବୃଦ୍ଧିପାଇ ଏହାର ବନ୍ଧ ମଧ୍ୟ ବୋହି ଯାଇଛି । ଶନିବାର ରାତିରେ ବନ୍ଧ ଭାଙ୍ଗିବା ଖବର ମିଳିବା ମାତ୍ରେ ହିଁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ପୂରା ସାଞ୍ଚୋର ସହରକୁ ଖାଲି କରାଇବାକୁ ଉଦ୍ୟମ ଚାଲିଛି । ରାତି ଦୁଇଟା ବେଳେ ଲୋକମାନେ ବଜାରରେ ଥିବା ନିଜ ଦୋକାନଗୁଡ଼ିକ ଖାଲିକରିବା ଆରମ୍ଭ କରିଦେଇଥିଲେ ।

ସେହିପରି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ସୁରାଭାରୁ ପାଣି ହାଡ଼େତର ହୋଇ ଜାଜୁସନରେ ପହଞ୍ଚିବା ଫଳରେ ନିର୍ମାଣାଧୀନ ଭାରତମାଳା ଏକ୍ସପ୍ରେସୱେ ସଡ଼କ ପୋଲ ଦେଇ ଆଗକୁ ମାଡ଼ିଚାଲିଛି । ବାଡ଼ମେର୍ ଜିଲ୍ଲାର ସେଡ଼ୱା ଥାନା ଗଙ୍ଗାଦରା ଗାଁ ନାଳରେ ବୁଡ଼ି ଦୁଇଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି । ମୋଟ ପାଞ୍ଚଜଣ ବାଳକ ବର୍ଷାପାଣିରେ ଭରି ଯାଇଥିବା ନାଳରେ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ବୁଡ଼ି ଯାଇଥିବା ବେଳେ ବାକି ତିନିଜଣ ସେମାନଙ୍କ ଘରେ ଖବର ଦେଇଥିଲେ । ପୁଲିସ ଗ୍ରାମବାସୀଙ୍କ ସହାୟତାରେ ଶବ ଦୁଇଟି ପାଣିରୁ ବାହାର କରିଥିଲା ।

ମୃତକ ଦୁଇଜଣ ହେଲେ ଦୀପ ସିଂହଙ୍କ ୮ ବର୍ଷର ପୁଅ କୃପାଳ ସିଂହ ଏବଂ ଚୈନ୍ ସିଂହଙ୍କ ସାତବର୍ଷର ପୁଅ ଖେତ୍ ସିଂହ । ସେହିପରି ରାଜସମନ୍ଦ ନିକଟ ବାଘୋଟା ଗାଁରେ ପଥର ତଳେ ଦବିଯାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ରାଜସମନ୍ଦର କେଲବା ଗାଁରେ ଆଜି ଘରର ବାଲ୍‌କୋନୀ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବତ୍ୟା ପ୍ରଭାବରେ ୬ ଜଣ ଲୋକ ପ୍ରାଣ ହରାଇ ସାରିଛନ୍ତି । ଅନ୍ୟପକ୍ଷରେ ଜୟପୁରରେ ରବିବାର ସକାଳେ ବର୍ଷା ଆରମ୍ଭ ହୋଇଥିôବା ବେଳେ ସହର ସମେତ ଜୟପୁର ଡିଭିଜନ୍‌ର ଦୋସା, ଅଲୱର ଜିଲ୍ଲାରେ ଭୀଷଣ ବର୍ଷା ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଘଟିଛି ।

ଜୟପୁର ପାଣିପାଗ କେନ୍ଦ୍ର ଅନୁସାରେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଆଜମେର୍‌, ଜୟପୁର, ଟୋଙ୍କ୍‌, ସୱାଇ ମାଧୋପୁର ସମେତ ଆଖପାଖ ଜିଲ୍ଲାରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ଦେଖିବାକୁ ମିଳିବ । ଏହି ଜିଲ୍ଲାଗୁଡ଼ିକରେ ଆଜି ରାତି ଏବଂ ଆସନ୍ତାକାଲି ସକାଳେ ବର୍ଷା ହେବ । ଜୁନ୍ ୧୯ ଓ ୨୦ ତାରିଖରେ ବିପର୍ଯ୍ୟୟର ପ୍ରଭାବ ଭରତପୁର, କୋଟା ଡିଭିଜନ୍‌ର ଜିଲ୍ଲାଗୁଡ଼ିକରେ ରହିବ । ଆସନ୍ତାକାଲି ବାତ୍ୟା ଆହୁରି ଦୁର୍ବଳ ହୋଇ ଡିପ୍ରେସନ୍‌ରୁ ୱେଲ୍ ମାର୍କ ଲୋପ୍ରେସର୍ ଏରିଆରେ ପରିଣତ ହେବ । ବାତ୍ୟା ବିପର୍ଯ୍ୟୟ ଏବେ ଘଣ୍ଟା ପ୍ରତି ୧୦ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଆଗକୁ ବଢ଼ୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking