ଇମ୍ଫାଲ: ମଣିପୁଣରେ ପୁଣି ଫେରିଛି ହିଂସା । କିଛି ଦିନର ଶାନ୍ତି ପରେ ପୁଣି ଆରମ୍ଭ ହୋଇଯାଇଛି ପୋଡାଜଳା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲର କିଛି ଅଞ୍ଚଳରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି । ଏହା ସହିତ ସେନାକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରାଯାଇଛି । ହିଂସା ପ୍ରଭାବିତ ସହର ଗୁଡିକରେ ହିଂସା ପୂରାପୂରି ଭାବେ ଥମି ଯାଇଥିଲା । କିନ୍ତୁ ସୋମବାର ଦୁଇ ଗୋଷ୍ଠୀ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଫଳରେ ପୁଣି ବଡ ଧରଣର କିଛି ହେବା ନେଇ ଆଭାସ ମିଳୁଛି । ତେଣୁ ପ୍ରଶାସନ ଓ ଭାରତୀୟ ସେନା ପୁଣି ସଜାଗ ହୋଇଯାଇଛନ୍ତି । ରିପୋର୍ଟ ଅନୁଯାୟୀ, ରାଜଧାନୀ ଇମ୍ଫାଲର ନ୍ୟୁ ଚେକୋନ ଅଞ୍ଚଳରେ ମୈତେଇ ଓ କୁକୀ ସମୁଦାୟ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ୍ ଆରମ୍ଭ ହୋଇଥିଲା । ଯାହା କି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । ସଂପୃକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ।
ଏଭଳି ଖବର ଆସିବା ପରେ ଇମ୍ଫାଲରେ କର୍ଫ୍ୟୁ ଘୋଷଣା କରାଯାଇଛି । ହିଂସାକାଣ୍ଡରେ ସାମିଲ ନହେବା ପାଇଁ ଲୋକମାନଙ୍କୁ ଅପିଲ କରାଯାଇଛି । ସୂଚନାଯୋଗ୍ୟ, ମଣିପୁରରେ ମୈତଇ ସମ୍ପ୍ରଦାୟର ଅଧିବାସୀଙ୍କ ସଂଖ୍ୟା ପ୍ରାୟ ୫୩ ପ୍ରତିଶତ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ଆଦିବାସୀ ରହିଛନ୍ତି। ସେହିଭଳି କୁକୀ ଓ ନଗା ଅଧିବାସୀଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ ରହିଛି । ମଣିପୁରରେ ଏଭଳି ଅଜବ ନିୟମ ରହିଛି ଯାହା କି, ମୈତେଇ ସମ୍ପ୍ରଦାୟର ଲୋକେ କେବଳ ଘାଟି ଅଞ୍ଚଳରେ ବସବାସ କରିପାରିବେ । ଯେତେବେଳେ କି ମଣିପୁରର ୯୦% ଅଞ୍ଚଳ ପାହାଡିଆ ଅଞ୍ଚଳ ଓ ମାତ୍ର ୧୦% ଘାଟି ଅଞ୍ଚଳ । ପାହାଡିଆ ଅଞ୍ଚଳରେ କୁକୀ ଓ ନଗା ସମ୍ପ୍ରଦାୟ ମାନେ ରହିବାକୁ ନିୟମ ରହିଥିବା ବେଳେ ମୈତେଇ ସମ୍ପ୍ରଦାୟ କେବଳ ଘାଟି ଅଞ୍ଚଳରେ ରହିବାର ନିୟମ ରହିଛି । ଏପରିକି ମୈତେଇ ସମ୍ପ୍ରଦାୟ ପାହାଡିଆ ଅଞ୍ଚଳରେ ଜମି ମଧ୍ୟ କିଣିପାରିବେ ନାହିଁ । ତେଣୁ ଏହାକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି ।