19.1 C
Bhubaneswar
Sunday, January 18, 2026
Homeଓଡିଶାବନବିଭାଗର କଟକଣାରେ ଅତିଷ୍ଠ ଛୋଟକେଇ ଗ୍ରାମବାସୀ

ବନବିଭାଗର କଟକଣାରେ ଅତିଷ୍ଠ ଛୋଟକେଇ ଗ୍ରାମବାସୀ

ଅନୁଗୁଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ଛୋଟକେଇ ଗ୍ରାମବାସୀଙ୍କ ବନବିଭାଗ ବିରୁଦ୍ଧରେ ଯୁଦ୍ଧଂଦେହୀ ଡ଼ାକରା। ମାତ୍ରାଧିକ କଟକଣା ଯୋଗୁଁ ସେମାନଙ୍କ ବଞ୍ଚିବା କଷ୍ଟକର ହୋଇ ପଡ଼ିଲାଣି। ଏଣିକି ଆଉ ନୁହେଁ। ବନ ବିଭାଗ କଟକଣା କୋହଳ ନକଲେ କୌଣସି କର୍ମଚାରୀ ଏବଂ ଅଧିକାରୀଙ୍କୁ ଜଙ୍ଗଲ ଭିତରେ ପୁରେଇ ଦିଆଯିବ ନାହିଁ। ଆବଶ୍ୟକ ପଡ଼ିଲେ ସବୁ ଫାଟକ ଓ କାର୍ଯ୍ୟାଳୟରେ ତାଲା ପକାଇବାକୁ ପଛେଇବୁ ନାହିଁ ବୋଲି ଗ୍ରାମବାସୀ କଡା ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ କହିଛନ୍ତି ଲୋକଙ୍କ ସୁବିଧା ପାଇ ସେ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁରୁଣାକୋଟ ବନାଞ୍ଚଳ ଭିତରେ ଅବସ୍ଥିତ ଛୋଟକେଇ ଗାଁ। ଜଙ୍ଗଲ ଭିତରେ ଥିଲେ ମଧ୍ୟ ଗାଁଟି ରାଜସ୍ୱ ଗ୍ରାମର ମାନ୍ୟତା ପାଇଛି। ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ସମସ୍ତେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି। ତେବେ ସେମାନଙ୍କ ପ୍ରମୁଖ ସମସ୍ୟା ହେଉଛି ବନ୍ୟଜନ୍ତୁ ଉପଦ୍ରବ ଯୋଗୁଁ ଆଗ ଭଳି ଆଉ ଚାଷବାସ ହେଉନି। ତେଣୁ ପନିପରିବା, ଡାଲି, ମାଛ ମାଂସ ଓ ଅନ୍ୟାନ୍ୟ ନିତିଦିନିଆ ସାମଗ୍ରୀ ପାଇଁ ଗାଁକୁ ଆସୁଥିବା ଛୋଟ ଛୋଟ ବେପାରୀମାନଙ୍କ ଉପରେ ନିର୍ଭର କରନ୍ତି। ଗାଁ ଠାରୁ ଜଙ୍ଗଲ ରାସ୍ତା ଦେଇ ନରସିଂହପୁର ମାତ୍ର ୧୦/୧୨ କିମି ହୋଇଥିବାରୁ ସବୁ ବେପାରୀ ନରସିଂହପୁର ଅଞ୍ଚଳରୁ ଏଠାକୁ ଆସନ୍ତି। ଏହାଛଡା ଛୋଟକେଇ ଗାଁର ଲୋକେ ମଧ୍ୟ ନରସିଂହପୁର ଅଞ୍ଚଳରେ ପୁଅଝିଅ ବିବାହ ଆଦି କରାଇଛନ୍ତି। ତେଣୁ ସେମାନଙ୍କର ବନ୍ଧୁବାନ୍ଧବ ଅଧିକାଂଶ ନରସିଂହପୁର ଅଞ୍ଚଳରେ ଅଛନ୍ତି। କହିବାକୁ ଗଲେ ସବୁବେଳେ ଛୋଟକେଇ ଓ ନରସିଂହପୁର ମଧ୍ୟରେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ ଚାଲେ। ଶହଶହ ବର୍ଷ ଧରି ଏମିତି ଚାଲି ଆସୁଛି। କିନ୍ତୁ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଆଳରେ ସାତକୋଶିଆ କର୍ତ୍ତୃପକ୍ଷ ସେହି ରାସ୍ତାରେ ଯାତାୟାତ ଉପରେ କଟକଣା ଲଗାଇଛନ୍ତି।

ଫଳରେ ଛୋଟକେଇ ଲୋକଙ୍କୁ ନରିସିଂହପୁର ଯିବାକୁ ହେଲେ ଅନୁଗୁଳ ଦେଇ ପ୍ରାୟ ୧୨୦କିମି ଯିବାକୁ ପଡୁଛି। ଯାହାକି ସେମାନଙ୍କ ପାଇଁ ବହୁତ ଖର୍ଚ୍ଚ ଓ ସମୟ ସାପେକ୍ଷ। କେହି ଜଣେ ବନ୍ଧୁ ଓ ସମ୍ପର୍କୀୟ ମୃତ୍ୟୁବରଣ କଲେ ମଧ୍ୟ ତୁରନ୍ତ ଯିବା କଷ୍ଟକର ହୋଇପଡୁଛି। ଏହାଛଡା ନରସିଂହପୁର ଅଞ୍ଚଳରୁ କୌଣସି ବେପାରୀ ଆସୁ ନଥିବାରୁ ଲୋକେ ତେଲ, ଲୁଣ, ଡାଲି ଓ ପନିପରିବା ପାଇ ପାରୁ ନାହାନ୍ତି। ବହୁ କଷ୍ଟରେ ସେମାନଙ୍କ ଜୀବନ ବିତୁଛି। ଖାଲି ସେତିକି ନୁହେଁ ଗାଁ ଉଚ୍ଛେଦ କରିବାକୁ ବନବିଭାଗ ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛି। ଗାଁକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ପାଇଁ କାମ ଅଧା ପନ୍ତରିଆ ହୋଇପଡି ରହିଛି। କଟକଣା ଆଳରେ ତାହା ସମ୍ପୂର୍ଣ୍ଣ କରାଇ ଦେଉନି ବନବିଭାଗ। ଏସବୁ କାରଣକୁ ନେଇ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି। ବାଧ୍ୟହୋଇ ବନବିଭାଗ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି। ବନବିଭାଗର ଏଭଳି ମନମୁଖୀ କାରବାରକୁ ନେଇ ଗାଁରେ ଏକ ଜରୁରୀ ବୈଠକ କରିଥିଲେ ଗ୍ରାମବାସୀ। ବୈଠକରେ ନିଷ୍ପତ୍ତି ଅନୁସାରେ ସାତକୋଶିଆ ଡିଏଫ୍‌ଓ, ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଧିକାଂଶ ଗ୍ରାମବାସୀ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଚାହୁଁ ନାହାନ୍ତି।

କିନ୍ତୁ ବନ ବିଭାଗ ଲୋକଙ୍କୁ ହଇରାଣ ହରକତ କରି ପରୋକ୍ଷ ଭାବେ ଗାଁ ଛାଡିବାକୁ ବାଧ୍ୟ କରୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବନବିଭାଗ ଏଭଳି ନିଷ୍ପତିରୁ ନିବୃତ ରହୁ। ଏଠାରେ ରହୁଥିବା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ବନ୍ୟଜନ୍ତୁ ଦାଉରୁ ରକ୍ଷା କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ। ମାତ୍ରାଧିକ କଟକଣା ପ୍ରତ୍ୟାହାର କରୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି। ନଚେତ ଆଗାମୀ ଦିନରେ ସବୁ ଜଙ୍ଗଲ ରାସ୍ତାକୁ ଗ୍ରାମବାସୀ ବନ୍ଦ କରିବା ସହ ରେଞ୍ଜ କାର୍ଯ୍ୟାଳୟରେ ତାଲା ପକାଇ ଦିଆ ଯିବ। କୌଣସି ବନ କର୍ମଚାରୀଙ୍କୁ ଜଙ୍ଗଲ ଭିତରକୁ ଯିବାକୁ ଦିଆଯିବ ନାହିଁ। ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେପଟେ ସ୍ଥାନୀୟ ବିଧାୟକ ନଳିନୀ ପ୍ରଧାନ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତିଯେ ଏନେଇ ସେ ନିଜେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବେ। ଲୋକଙ୍କ ସୁବିଧା ପାଇଁ କଟକଣା କୋହଳ କରିବାକୁ କହିବେ। ବନ ବିଭାଗ ଆଇନର ଆଳ ଦେଖାଇ ଲୋକଙ୍କ ଉପରେ କେବଳ କଟକଣାର ବୋଝ ଲଦିଦେଲେ ଜଙ୍ଗଲ ଓ ଜନ୍ତୁ ସୁରକ୍ଷିତ ରହିବେ ନାହିଁ। ଜଙ୍ଗଲ ଅଧିବାସୀଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଇ ସେମାନଙ୍କ ସହଭାଗିତାରେ କାମ କଲେ ନିଶ୍ଚିତ ସୁଫଳ ମିଳି ପାରିବ ବୋଲି ପରିବେଶ କର୍ମୀମାନେ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking